ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ରାଜ୍ୟରେ ପୃଥକ୍ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ବୈପାରୀଗୁଡ଼ାରେ ସଡ଼କ ଦୁର୍ଘଟଣାରେ ୩ ଗୁରୁତର

Published By : prameya | May 16, 2025 9:01 AM

କୋରାପୁଟ, ୧୬/୫: ରାଜ୍ୟରେ ପୃଥକ୍ ପୃଥକ୍ ଦୁର୍ଘଟଣା । କୋରାପୁଟ, ବାଲେଶ୍ୱର ଓ କଟକ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୋଟ୍ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

କଟକ ନେତାଜୀ ସେତୁରେ ସିରିଜ ଦୁର୍ଘଟଣା

କଟକ ନେତାଜୀ ସେତୁରେ ସିରିଜ ଦୁର୍ଘଟଣା । ଏକ ଆଇଚର ଟ୍ରକ୍ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଅନ୍ୟ ୪ଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବୋଲେରୋ, ଗୋଟିଏ ଟାଟା ଜେଷ୍ଟ, ଗୋଟିଏ ଆଇ ଟେନ ଓ ଏକ ସ୍ୱିପ୍ଟ କାର୍ ସାମାନ୍ୟ କ୍ଷତି ହୋଇଥବା ଜଣାପଡ଼ିଛି । ଖବର ପାଇ ମର୍କତ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଜାମ୍ ହଟାଇଛି । ଧକ୍କା ଦେଇଥିବା ଟ୍ରକ୍ ଜବତ କରିଛି ପୋଲିସ । ଏଥିରେ କେହି ମୃତାହତ ହୋଇ ନଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ ସୂଚନା ଦେଇଛନ୍ତି । ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି । 

ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ

ବୈପାରୀଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩ ଜଣ ଗୁରୁତରଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥିରୁ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ କୋରାପୁଟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ଭୋର୍ ସକାଳ ୫ଟା ବେଳେ ନୟାଗଡ଼ର ଗୋଟିଏ ପରିବାର ଖରା ଛୁଟି ମନେଇବା ପାଇଁ ମାଲକାନଗିରି ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପଡ଼ା ଘାଟିରେ ଗୋଟିଏ ଏର୍ଟିଗା କାର ଗଛରେ ପିଟି ହେବା ଫଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ନୟାଗଡ଼ର ସୁଦୀପ୍ତ କୁମାର ସିଂ ସାମନ୍ତ ଖରାଛୁଟି ପାଇଁ ମାଲକାନଗିରିରେ ରହୁଥିବା ତାଙ୍କ ବଡ଼ ଭାଇଙ୍କ ଘରକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି । 

ଦୁର୍ଘଟଣାରେ ସୁଦୀପ୍ତଙ୍କ ମା, ମାଇଁ ଶାଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଏବଂ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ପତ୍ନୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ପୁଅର ଗୋଡ଼ ଭାଙ୍ଗି ଯିବା ବେଳେ ସୁଦୀପ୍ତଙ୍କ ହାତ ଭାଙ୍ଗି ଯାଇଛି । ସେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ଖବର ପାଇ ବୈପାରିଗୁଡ଼ା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲେ । 

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚନ୍ଦନେଶ୍ଵର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହୁଗୁଳି ପଞ୍ଚାୟତ ଅଧୀନ ବରବରିଆ ଗାଁରେ ଦୁର୍ଘଟଣା । ଉକ୍ତ ଗାଁର ସ୍ୱର୍ଗତ ବିଭୁତି ପଣ୍ଡାଙ୍କ ପୁଅ ଶିବଶଙ୍କର ଗୁରୁବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ଏନେଇ ଖବର ପାଇ ତାଳସାରୀ ସାମୁଦ୍ରିକ ଥାନାର ପୁଲିସ ଶୁକ୍ରବାର ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧ଟା ବେଳେ ଶିବଶଙ୍କର ପରିସ୍ରା କରିବା ପାଇଁ ବାହାରକୁ ଆସିଥିଲେ । ଏତିକି ବେଳେ ଚନ୍ଦନେଶ୍ଵର-ତାଳସାରୀ ମୁଖ୍ୟ ରାସ୍ତାରେ ଚନ୍ଦନେଶ୍ଵର ପଟୁ ଦ୍ରୁତ ଗତିରେ ଏକ ଟ୍ରାକ୍ଟର ଧକ୍କା ଦେଇ ଖସି ପଳାଇ ଥିବା ମୃତକଙ୍କ ସ୍ତ୍ରୀ କହନ୍ତି ।

ପୃଥକ ଦୁର୍ଘଟଣାରେ ୩ ଗୁରୁତର 

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ପୃଥକ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୋହନା ନାରଙ୍ଗୀ ଘାଟିରେ ବୋଲେରୋ ଓଲଟି ଡ୍ରାଇଭର ଚନ୍ଦ୍ରଗିରି ଗାଁର ଶିବରାମ ବଦକୁମାର ଗୁରୁତର ଆହତ ହୋଇଛନ୍ତି । ମଧ୍ୟାହ୍ନରେ ବୋଲେରୋ ଚନ୍ଦ୍ରଗିରିରୁ ମୋହନା ଆସୁଥିଲା । ଏହି ସମୟରେ ଏକ କାର ସହ ମୁହାଁ ମୁହିଁ ହେବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ବୋଲେରୋ । ସେହିପରି କର୍ଚବାଡ଼ି କନ୍ଧ ଅଡବା ଗାଁ ନିକଟରେ ବାଇକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନେ ହେଲେ କନ୍ଧ ଅଡବାର ଅରୁଣ ବେହେରଦଳାଇ, ବାଲିଗଣ୍ଡାର ବିନୋଦ ଦଳାଇ। ସେମାନଙ୍କୁ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଉଭୟ ଘଟଣାରେ ପୁଲିସ ତଦନ୍ତ କରୁଛି ।

ଓଲଟି ପଡ଼ିଲା ଅଗ୍ନିଶମ ଗାଡ଼ି, ଡ୍ରାଇଭର୍‌ ଗୁରୁତର ଆହାତ

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକର ଷଠୀ ଠାରେ ଥିବା ଓଡ଼ିଶା ଅଗ୍ନିଶମ ବାହିନୀର ଗାଡ଼ି ଶୁକ୍ରବାର ରେମୁଣା ବ୍ଳକର ତୁଣ୍ଡରା ଗାଁରେ ଘର ପୋଡ଼ି ଖବର ପାଇ ନିଆଁ ଲିଭାଇବାକୁ ଯାଇଥିଲା । ଗୋପାଳପୁର ବାଲେଶ୍ଵର ରାସ୍ତାର କାନକଟା ରାସ୍ତାରେ ଗାଡ଼ିଟି ଯାଉଥିବା ସମୟରେ, ହଠାତ୍ ଜଣେ ମଟରସାଇକେଲ ଆରୋହୀ ଅଗ୍ନିଶମ ବାହିନୀ ଗାଡ଼ି ଆଗକୁ ମାଡି ଆସିଥିଲା । ଗାଡ଼ିର ଡ୍ରାଇଭର୍ ଆରୋହୀଙ୍କୁ ରକ୍ଷା କରିବା ସମୟରେ ନିଜର ଗାଡ଼ିର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଗାଡିଟିର ଡ୍ରାଇଭର୍‌ ଗୁରୁତର ହୋଇଥିଲେ । ଗାଡ଼ିଟି ରାସ୍ତା କଡକୁ ଓଲଟି ପଡ଼ିଥିବା ଦେଖି ପାଖରେ ଥିବା ଏକ କମ୍ପାନୀର କର୍ମଚାରୀମାନେ ଦୌଡି ଆସିଥିଲେ । କମ୍ପାନୀରୁ ଏକ ଗାଡ଼ି ଆଣି ଅଗ୍ନିଶମ ବାହିନୀ ଗାଡ଼ିଟିକୁ ଉଧ୍ୟାର କରିଥିଲେ । ଡ୍ରାଇଭର୍‌କୁ ପ୍ରଥମିକ ଚିକିତ୍ସା କରାଇଥିଲେ । ଏହି ଦୁର୍ଘଟଣା କାରଣରୁ ଉକ୍ତ ଗାଡ଼ିଟି ପୋଡ଼ି ଯାଇଥିବା ଘଟଣା ସ୍ଥଳକୁ ଯାଇପାରିନଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.