ବରଗଡ,୧୬/୦୫: ବରଗଡ ସ୍ଥିତ ହଳଦୀପାଲି ଛକଠାରେ ବ୍ଲକ ଜେଇଙ୍କ ସନ୍ଦେହଜନକ ମୁତ୍ୟୁ ହୋଇଛି । ଏକ ହୋଣ୍ଡାଇ କ୍ରେଟା ଗାଡିରେ ଏସି ଲଗାଇ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ଚଦ୍ର ଶେଖର ଝାଡ଼ିଆ । ସେ ବରପାଲି ବ୍ଲକ ଜେଇ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।
ଗାଡ଼ିରେ ଏସି ଲଗାଇ ଶୋଇଥିବା ବେଳେ ଏସିଟି ଖରାପ ହେବା ସହିତ ସଟସର୍କିଟ ହୋଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତାଙ୍କ ଶରୀର ପୋଡି ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ, ଗତକାଲି ଦିନ ୧୨ ଟାରୁ ଚନ୍ଦ୍ର ଶେଖର ଘରୁ ବାହାରି ଆସିଥିଲେ । ରାତିରେ ଫୋନ୍ ଉଠାଇ ନ ଥିଲେ । ପରେ ଖୋଜାଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।
ତେବେ ବ୍ଲକ ଜେଇ ଚଦ୍ର ଶେଖର ଝାଡ଼ିଆଙ୍କ ମୃତ୍ୟୁ କିପରି ହେଲା ? କଣ ଏସିରୁ ସର୍ଟ ସର୍କିଟ ହୋଇ ତାଙ୍କର ମୃତ୍ୟୁ ହୋଇଛି ? ଏ ସବୁ ଏବେ ସନ୍ଦେହ ଘେରରେ ରହିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।