ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନୂଆଦିଲ୍ଲୀରେ ଜମ୍ମୁ-କାଶ୍ମୀରର ସୁରକ୍ଷା ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ 'ଶୂନ୍ୟ ଅନୁପ୍ରବେଶ' ଲକ୍ଷ୍ୟରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆହୁରି ତୀବ୍ର କରିବାକୁ ସମସ୍ତ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ । ବୈଠକରେ, ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାରଙ୍କ ନିରନ୍ତର ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ କେନ୍ଦ୍ର ଶାସିତ ଅଞ୍ଚଳରେ ଆତଙ୍କବାଦର ଇକୋସିଷ୍ଟମ ଦୁର୍ବଳ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଜମ୍ମୁକାଶ୍ମୀରରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ପ୍ରତିବଦ୍ଧ । ସେ ସମସ୍ତ ସୁରକ୍ଷା ଏଜେନ୍ସିକୁ 'ଶୂନ୍ୟ ଅନୁପ୍ରବେଶ' ଲକ୍ଷ୍ୟ ହାସଲ କରି ଆତଙ୍କବାଦ ବିରୋଧରେ ଲଢ଼େଇକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସୁରକ୍ଷା ଏଜେନ୍ସିକୁ ଅନୁପ୍ରବେଶ ଏବଂ ଆତଙ୍କବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଶାହ। ସେ କହିଛନ୍ତି, ଆମର ଲକ୍ଷ୍ୟ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା ହେବା ଦରକାର ।
ସେ କହିଛନ୍ତି, ନାର୍କୋ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀମାନଙ୍କୁ ସେମାନଙ୍କର କାର୍ଯ୍ୟକଳାପ ପାଇଁ ସମର୍ଥନ ଯୋଗାଇ ଦେଉଛି । ନିଶାଦ୍ରବ୍ୟ ଚୋରାଚାଲାଣରୁ ମିଳୁଥିବା ଅର୍ଥରୁ ବଢ଼ୁଥିବା ଆତଙ୍କବାଦ ପାଣ୍ଠି ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନୂତନ ଅପରାଧ ଆଇନର ସମୟୋଚିତ କାର୍ଯ୍ୟାନ୍ୱୟନକୁ ଦୃଷ୍ଟିରେ ରଖି ସେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL) ପଦବୀରେ ନୂତନ ନିଯୁକ୍ତି ଦେବାକୁ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆତଙ୍କବାଦ ମୁକ୍ତ ଜମ୍ମୁକାଶ୍ମୀର ଲକ୍ଷ୍ୟ ହାସଲ କରିବା ପାଇଁ ଆତଙ୍କବାଦ ବିରୁଦ୍ଧରେ ମୋଦୀ ସରକାରଙ୍କ 'ଶୂନ୍ୟ ସହନଶୀଳତା ନୀତି' ଉପରେ ଶାହ ଗୁରୁତ୍ୱାରୋପ କରିଛନ୍ତି । ସେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସଜାଗ ରହିବାକୁ ଏବଂ ଜମ୍ମୁକାଶ୍ମୀରରେ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜମ୍ମୁକାଶ୍ମୀରରେ ସୁରକ୍ଷା ପରିସ୍ଥିତିର ସମସ୍ତ ପାରାମିଟରରେ ଉଲ୍ଲେଖନୀୟ ଉନ୍ନତି ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରୟାସକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଶଂସା କରିଛନ୍ତି।