ନୂଆଦିଲ୍ଲୀ: ବୁଧବାର ପଶ୍ଚିମବଙ୍ଗରେ ଥିବା ଭାରତ-ବାଂଲାଦେଶ ସୀମାରେ ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ) ଓ ଅବୈଧ ବାଂଲାଦେଶୀ ପ୍ରବାସୀମାନଙ୍କ ମଧ୍ୟ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି। ବାଂଲାଦେଶୀ ମାନେ ସୀମାରେ ଡକାୟତି ଓ ଚୋରା ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ବିଏସଏଫ ସହ ଧସ୍ତାଧସ୍ତି ହୋଇଥିବା ନେଇ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।
ପଶ୍ଚିମବଙ୍ଗର ଦକ୍ଷୀଣ ଦିନାଜପୁର ଜିଲ୍ଲାରେ ଅବୈଧ ବାଂଲାଦେଶୀ ପ୍ରବାସୀମାନେ ଭାରତ ସୀମାଦେଇ ଦେଶ ମଧ୍ୟକୁ ପ୍ରବେଶ କରୁଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସୀମା ସୁରକ୍ଷା ବଳ ଏହାର ବିରୋଧ କରିଥିଲା। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଜଣେ ବାଂଲାଦେଶୀ ପ୍ରବାସିଙ୍କ ସହ ଜଣେ ଜବାନ ଆହତ ହୋଇଛନ୍ତି।
ସୂଚନା ମୁତାବକ, କେତେକ ଅବୈଧ ପ୍ରବାସୀ ବାଂଲାଦେଶୀ ଅସ୍ତ୍ରଶସ୍ତ୍ର ଧରି ସୀମା ପାର କରିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ବିଏସଏଫକୁ ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ସେନା ଘଟଣାସ୍ଥଳରେ ପହଞ୍ଚି ଥିଲା। ସେମାନଙ୍କୁ ଘଉଡାଇବାକୁ ସେନା ପ୍ରଥମେ ଚେତାବନି ଦେଇଥିଲା। ଏଥିରେ ସେମାନେ ଭୟଭିତ ହେବା ପରିବର୍ତ୍ତେ ସେନାକୁ ଘେରିଯାଇ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଆକ୍ରମଣ ହେଉଥିବା ଦେଖି ବିଏସଏଫ ଯବାନମାନେ ନିଜ ସୁରକ୍ଷା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ ଅବୈଧ ପ୍ରବାସୀମାନେ ଘଟଣାସ୍ଥଳରୁ ଦଉଡି ପଳାଇଥିଲେ।
ଏହା ପରେ ଅବୈଧ ପ୍ରବାସୀ ବାଂଲାଦେଶୀ ମାନଙ୍କୁ ଧରିବା ପାଇଁ ସେନା ସୀମାରେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲା। କିନ୍ତୁ ଘନ କୁହୁଡି ହୋଇଥିବା ଯୋଗୁଁ ଅବୈଧ ପ୍ରବାସୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ଏହି ସର୍ଚ୍ଚ ଅପରେସନରେ ଜଣେ ଆହତ ଅବୈଧ ପ୍ରବାସୀକୁ ସୀମାରୁ ଉଦ୍ଧାର କରିଛି ବିଏସଏଫ। ଉଦ୍ଧାର କରିବା ପରେ ଅଭିଯୁକ୍ତ ପ୍ରବାସିଙ୍କୁ ଗଙ୍ଗରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ବୋଲି ସୂଚନା ମିଳିଛି।
ବିଏସଏଫ ଘଟଣାସ୍ଥଳରୁ ଚାପଡ, ଲାଠି ଓ ଏକ ୱେୟାର କଟର ଜବତ କରିଛି। ଆହତ ହୋଇଥିବା ଯବାନ ଜଣଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବିପଦରୁ ମୁକ୍ତ ଥିବା ଜଣାପଡିଛି।