ନୂଆଦିଲ୍ଲୀ, ୫।୨: ପରିବହନ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ଲଗାତାର କେନ୍ଦ୍ର ସରକାର ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଖାସ୍ କରି ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଗଡ଼କରୀ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ନୂଆ ନୂଆ ନିୟମ ମଧ୍ୟ ଲାଗୁ ହୋଇଥିବାର ଦେଖାଯାଉଛି । ଜାତୀୟ ରାଜପଥରେ ପ୍ରାୟ ୬୦ କିଲୋମିଟର ବ୍ୟବଧାନରେ ଗୋଟାଏ ଲେଖାଏଁ ଟୋଲ ଗେଟ୍ ପଡ଼େ । ଟୋଲ ଗେଟ୍ରେ ଅନଲାଇନ ହେଉ କିମ୍ୱା ଅଫଲାଇନ୍ ଟଙ୍କା ଦେବାକୁ ପଡ଼େ । କିଛି ସମୟରେ ଟୋଲ ପ୍ଲାଜାରେ ଗାଡ଼ିର ଲାଇନ ଲାଗିଥାଏ । ଘଣ୍ଟା ଘଣ୍ଟା ଧରି ଚାଳକଙ୍କୁ ଅପେକ୍ଷା କରିବାକୁ ପଡ଼େ । କିନ୍ତୁ ଏ ସମସ୍ୟାର ସମାଧାନ ଆଣିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଗାଡ଼ି ଚାଳକଙ୍କ ଲାଗି ଆଶ୍ୱସ୍ତି ଆଣିଛି ଏହି ନିଷ୍ପତ୍ତି । ନିୟମ ଅନୁସାରେ, ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଟୋଲଗେଟ୍ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ଥରେ ଟଙ୍କା ଦେଲେ ବର୍ଷସାରା ଫ୍ରିରେ ଯାତ୍ରା କରିପାରିବେ ।
ଗଣମାଧ୍ୟମ ରିପୋର୍ଟନୁସାରେ, ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍ ଟାଇମ୍ ଟୋଲ ପାସ୍ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍ କିଣିପାରିବେ । ଟୋଲ୍ ପ୍ଲାଜାରେ ଏହି ପାସ୍ ଦେଖାଇ ପୂରା ବର୍ଷ ଯାତ୍ରୀ ଜାତୀୟ ରାଜପଥରେ ଯାତ୍ରା କରିପାରିବେ । ଠିକ୍ ସେମିତି, ୧୫ ବର୍ଷିୟା ଲାଇଫ୍ ଟାଇମ୍ ପାସ୍ କରିବାକୁ ହେଲେ ଏଥିପାଇଁ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା । ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍ ଦେଇ ଯାଉଥିବା ଯାତ୍ରୀମାନେ ସୁବିଧାରେ ଯାତ୍ରା କରିବେ ଏଥିସହ ଟୋଲ ପ୍ଲାଜାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି । ରାସ୍ତାରେ ଯିବା ବେଳେ କେମିତି ସହଜରେ ଯାତ୍ରା କରିବେ ଯାତ୍ରୀ ସେନେଇ କେନ୍ଦ୍ର ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି ।
ସୂଚନା ଅନୁସାରେ, ନୂଆ ଟୋଲ୍ ନିୟମ ନେଇ ମନ୍ତ୍ରଣାଳୟ ବିଚାରବିମର୍ଶ ଚଲାଇଛି । ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷ କଥା ହେଲା, ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍ଟ୍ୟାଗ୍ ସହ ଏହାକୁ ଲିଙ୍କ କରାଯିବ । କହିରଖୁ କି, ବର୍ତ୍ତମାନ ଟୋଲ ପ୍ଲାଜାରେ ମାସିକିଆ ପାସ୍ ମିଳୁଛି । ପ୍ରତିମାସ ୩୪୦ ଟଙ୍କାରେ ଏହି ମାସିକିଆ ପାସ୍ ମିଳୁଥିବା ବେଳେ ବାର୍ଷିକ ଦେୟ ୪ ହଜାର ୮୦ ଟଙ୍କା ରହିଛି । ହେଲେ ପୁରା ଦେଶରେ ଥିବା ରାଷ୍ଟ୍ରୀୟ ରାଜମାର୍ଗରେ ଅସୀମିତ ଯାତ୍ରା କରିବା ଲାଗି ୩୦୦୦ ଟଙ୍କାର ବ୍ୟବସ୍ଥା ହେଲେ ଶହଶହ ସଂଖ୍ୟାରେ ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି ।