ନୂଆଦିଲ୍ଲୀ,୦୫/୦୨: ଜମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ାଇବା ପାଇଁ ପୁଣି ଥରେ ଅନେକ ସଂଗଠନ ଏକାଠି ହେଉଥିବା ଦେଖିବାକୁ ମିଳିଛି। ଏହା ଯୋଗୁଁ ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ସତର୍କ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପିଓକେରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁଥିରେ ହମାସର ଜଣେ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।
ଏଗୁଡ଼ିକ ବ୍ୟତୀତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୌବାର ସମ୍ପୃକ୍ତି ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଚାରି ଦଶନ୍ଧି ଧରି ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ପ୍ରତିବର୍ଷ ଫେବୃଆରୀ ୫ ରେ 'କାଶ୍ମୀର ଏକତା ଦିବସ' ପାଳନ କରନ୍ତି। ଏହି କାର୍ଯ୍ୟକ୍ରମ ପିଓକେର ରାୱାଲାକୋଟର ସହିଦ ଶବୀର ଷ୍ଟାଡିୟମରେ ଅନୁଷ୍ଠିତ ହେବ। କିନ୍ତୁ ପ୍ରଥମଥର ପାଇଁ ଏଥିରେ ହମାସର ଜଣେ ନେତା କାଶ୍ମୀରରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି।
କହିରଖୁଛୁ ଯେ, ରାୱଲକୋଟକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। ୨୦୨୧ ରେ ପାକିସ୍ତାନ ସହିତ ଯୁଦ୍ଧବିରତି ପୂର୍ବରୁ, ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରି ରାୱଲକୋଟ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅନେକ ଅପରେସନ କରିଥିଲେ। କାରଣ ଏହିଠାରୁ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଏଲ୍ଓସି ପାର କରି ଭାରତୀୟ ସୀମାରେ ଅନୁପ୍ରବେଶ କରିବାରେ ସାହାଯ୍ୟ କରନ୍ତି।
ସୂଚନାଥାଉକି, ଗତ ଦେଢ଼ ବର୍ଷ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଏବେ ବନ୍ଦ ହୋଇଛି। ଯାହା ପରେ, ଅସ୍ତ୍ରବିରତି ଅଧୀନରେ, ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବା ଆରମ୍ଭ କରିଛି। ବିନିମୟରେ, ଇସ୍ରାଏଲ ଅନେକ ବନ୍ଧକଙ୍କୁ ମଧ୍ୟ ମୁକ୍ତ କରିଛି। ତେବେ ପିଓକେରେ ଆୟୋଜିତ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ହେବାକୁ ହମାସ୍ ନେତାଙ୍କୁ ନିମନ୍ତ୍ରଣ କରିବା ଘାଟଣା ଅନେକ କିଛି ଷଡ଼ଯନ୍ତ୍ରର ଖୁଲାସା କରୁଛି କହିଲେ ଚଳେ। ଯଦି କୌଣସି ଆତଙ୍କୀ କାର୍ଯ୍ୟକଳାପ ଘଟେ, ତେବେ ଏହାର କଡ଼ା ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଥିବା ବେଳେ ସମସ୍ତ କାର୍ଯ୍ୟକଳାପ ଉପରେ ଗୁଇନ୍ଦା ବିଭାଗର ନଜର ରହିଛି।