ନୂଆପଡ଼ା,୧୪/୫ : ନୂଆପଡ଼ା ଥାନା କୋଟେନଛୁଆଁ ପଞ୍ଚାୟତ ତିଳେଇଝର ଗାଁରେ ବାଇକ ଦୁର୍ଘଟଣା ଘଟି କକା- ପୁତୁରାର ମୃତ୍ୟୁ ହୋଇଛି । ମୃତକ ହେଲେ ତିଳେଇଝର ଗାଁର କକା ପରମେଶ୍ବର ତାଣ୍ଡି(୧୮) ଓ ପୁତୁରା ପୁରୁଷୋତ୍ତମ ତାଣ୍ଡି(୨୦) ।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ତିଳେଇଝର ଗାଁର କକା ପୁରୁଷୋତ୍ତମ ଓ ପୁତୁରା ପରମେଶ୍ବର ଏକ ବାଇକରେ ଘରୁ ବାହାରି ନୂଆପଡ଼ା ପଟେ ଆସୁଥିଲେ । ଗାଁ ମୁଣ୍ଡରେ ବାଇକ ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ କକା ଓ ପୁତୁରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ କକା ପରମେଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁତୁରା ପୁରୁଷୋତ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ରାତି ହେବାରୁ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏ ନେଇ ନୂଆପଡ଼ା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଗଙ୍ଗାଧର ମେହେର ସୂଚନା ଦେଇଛନ୍ତି ।