ସୋର, ୧୫/୧୨: ମାଟିଆ ପଲl ଛକରେ ଅଟୋ ସହିତ ଧକ୍କା ହେଲା ଟ୍ରକ୍ । ଘଟଣା ସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନେ ବେଗୁନିଆ ହରିପୁର ସଂଯୁକ୍ତା ବିଶ୍ଵାଳ, ହେମଲତା ଦାସ, ସଙ୍କୁନ୍ତାଳ ବିଶ୍ଵାଳ, ପ୍ରଦୀପ ବିଶ୍ଵାଳ, ବିଶ୍ଵଜିତ ନାୟକ ଓ ଅନ୍ୟ ଜଣେ ବ୍ୟକ୍ତି ବୋଲି ଜଣା ପଡ଼ିଛି । ମୃତ ଡ୍ରାଇଭର କୁଲୁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଛି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ମାଟିଆ ପଲl ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ହରିପୁରରୁ ଭଡ଼ା ଅଟୋରେ ରୋଗୀ ଦେଖିବାକୁ ଭଦ୍ରକ ବାଲିପାଟଣା ଯାଉଥିଲେ କିଛି ଯାତ୍ରୀ । ଯିବା ବାଟରେ ଘଟିଲା ଦୁର୍ଘଟଣା । ୧୬ ନମ୍ୱର ଜାତୀୟ ରାଜପଥ ମାଟିଆ ପଲା ଛକରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୬ ଜଣ ଯାତ୍ରୀ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାରି ମଧ୍ୟରେ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ସୋର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହା ସହ ଅଟୋ ଚାଳକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।