ପାଟନା,୦୬/୦୫: କେତେ ଖୁସିରେ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ । ହେଲେ କିଏ ଜାଣିଥିଲା ବରଯାତ୍ରୀରୁ ଫେରିବା ପାଲଟି ଯିବ ଶେଷଯାତ୍ରା । କିଏ ଜାଣିଥିଲା ରାତିର ସେ ଅନ୍ଧକାର ରାସ୍ତାରେ ମୃତ୍ୟୁ ଜଗି ବସିଛି ବୋଲି । ବିହାର କଟିହାର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । କଟିହାରର ପୋଠିୟା ଥାନା ଅନ୍ତର୍ଗତ ଏନଏଚ୍ ୩୧ରେ ସ୍କର୍ପିଓ କାର୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି । କାର୍ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସମେଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ସୁପୌଲ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।
କେମିତି ହେଲା ଦୁର୍ଘଟଣା ? ସୋମବାର ବିଳମ୍ବିତ ରାତିରେ ସମେଲି ଏନ୍ଏଚ -୩୧ରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ବିବାହ ଉତ୍ସବରୁ ଫେରୁଥିବା ଏକ କାର୍କୁ ଚାଉଳ ବସ୍ତା ବୋଝେଇ ଟ୍ରାକ୍ଟର ସାମ୍ନା ପଟୁ ଧକ୍କା ଦେଇଥିଲା । ଏଥିରେ କାର୍ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଏସୟୁଭିର ଆଗ ଅଂଶ ସମ୍ପର୍ଣ୍ଣ ଭାଙ୍ଗିଯାଇଛି ।
ଦୁର୍ଘଟଣାକୁ ନେଇ କଣ କହିଲେ ଏସ୍ପି ? ଭୟଙ୍କର ସଡ଼କ ଦୁର୍ଘଟଣା ନେଇ କଟିହାର ଏସ୍ପି ବୈଭବ ଶର୍ମା କହିଛନ୍ତି, ସମେଲି ପ୍ରଖଣ୍ଡ କାର୍ଯ୍ୟାଳୟ ନିକଟ ଏନ୍ଏଚ-୩୧ରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ଏସୟୁଭି କାର୍ ଧକ୍କା ହୋଇଥିଲା । ମୃତକଙ୍କ ପରିଚୟ ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ସମସ୍ତ ମୃତକ ସୁପୌଲ ଜିଲ୍ଲାର ହୋଇଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ...କାନପୁରରେ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ
ବିହାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ୪ ତାରିଖରେ ବିହାର ସିତାମଢିରେ ଏକ ଦୁର୍ଘଟଣା ହୋଇଥିଲା । ଏକ ସ୍କର୍ପିଓକୁ ଟ୍ରାକ୍ଟର ଧକ୍କା ମାରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଥିଲେ । ସେମାନେ ବି ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ ।