ଉତ୍ତରପ୍ରଦେଶ ୦୬/୦୫: ଉତ୍ତରପ୍ରଦେଶ, ବାରାବଙ୍କୀର ବନୀକୋଡର ବ୍ଲକ୍ ସ୍ଥିତ ନିଜାମପୁର ଗାଁରୁ ଏକ ଉତ୍ସାହଜନକ ଖବର ସାମ୍ନାକୁ ଆସିଛି । ଇତିହାସରେ ପ୍ରଥମ ଥର, ସ୍ୱାଧୀନତା ପରେ ଜଣେ ଛାତ୍ର ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୫ ବର୍ଷୀୟ ରାମକେବଲ ଏହି ବିରଳ ଉପଲବ୍ଧି ହାସଲ କରିଛନ୍ତି । ନିଜର ସଫଳତାକୁ ନେଇ ରାମକେବଲ କହିଛନ୍ତି, ଲୋକେ ଥଟ୍ଟା କରୁଥିଲେ ଯେ ମୁଁ ହାଇସ୍କୁଲ ପାସ୍ କରିପାରିବି ନାହିଁ । କିନ୍ତୁ ଦିନେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିବି ବୋଲି ମୁଁ ପଣ କରିଥିଲି । ନିଜାମପୁର ଗାଁରେ ପ୍ରାୟ ୪୦ ଘର ଅଛି ଏବଂ ଲୋକସଂଖ୍ୟା ପ୍ରାୟ ୩୦୦ । ଗାଁରେ ଜଣେ ବି ହାଇସ୍କୁଲ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । କିନ୍ତୁ ରାମକେବଲ ହାଇସ୍କୁଲରେ ଅଧ୍ୟୟନ ସହିତ ତମାମ ଆର୍ଥିକ ସମସ୍ୟା ଓ ଲୋକଙ୍କ ନକାରାତ୍ମକ କଥା ସତ୍ତେ୍ୱ ବୋର୍ଡ ପାସ୍ କରିଛନ୍ତି ।
ରାମକେବଲ ଦିନରେ ବରଯାତ୍ରୀରେ ଲାଇଟ୍ ମୁଣ୍ଡାଇବାଠୁ ଆରମ୍ଭ କରି ମଜୁରି ଆଦି କରୁଥିଲେ । ଘର ଚଳାଇବାକୁ ଦିନକୁ ସେ ୨୫୦ରୁ ୩୦୦ ଟଙ୍କା ରୋଜଗାର କରୁଥିଲେ । ତାଙ୍କ ବାପା ଜଗଦୀଶ ବି ଜଣେ ମଜୁରିଆ ଓ ମା’ ପୁଷ୍ପା ଗାଁ ସ୍କୁଲରେ ରୋଷେଇ କରନ୍ତି । ମା’ କହିଛନ୍ତି, ମୁଁ ନିଜେ ପଞ୍ଚମ ପାସ୍ । କିନ୍ତୁ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛି । ସେହିପରି ବାପା ଜଗଦୀଶ କହିଛନ୍ତି ‘ନିଜେ ପାଠ ପଢ଼ି ପାରିଲିନି । କିନ୍ତୁ ପୁଅକୁ ସର୍ବଦା ପଢ଼ିବାକୁ ପ୍ରେରିତ କରିଛି । ସେ ଅନେକ ସମୟରେ ମୋ ସହ ମଜୁରି ଖଟିବାକୁ ଯାଉଥିଲା । କିନ୍ତୁ ଫେରିବା ପରେ ନିଶ୍ଚୟ ପଢୁଥିଲା । ଶିକ୍ଷା ମାଧ୍ୟମରେ ପୁଅ ଭଲ ଭବିଷ୍ୟତ ପାଉ ବୋଲି ମୋର ଇଚ୍ଛା ।’
ରାମକେବଲଙ୍କ ପରିଶ୍ରମର କାହାଣୀ ଜିଲ୍ଲାରେ ପ୍ରସାର ହେବା ପରେ ଡିଏମ୍ ଶଶାଙ୍କ ତ୍ରିପାଠୀ ତାଙ୍କୁ ଓ ତାଙ୍କ ମା’ବାପାଙ୍କୁ ସମ୍ମାନିତ କଲେ । ରାମକେବଲଙ୍କ ପାଠପଢ଼ାର ପୂରା ଖର୍ଚ୍ଚ ବହନ କରିବାକୁ ବି ପ୍ରତିଶ୍ରୁତି ଦେଲେ । ସମାଜବାଦୀ ସରକାରର ପୂର୍ବତନ ମନ୍ତ୍ରୀ ଅରବିନ୍ଦ ସିଂହ ଗୋପ ରାମକେବଲଙ୍କ ଘରେ ପହଞ୍ଚି ତାଙ୍କୁ ଏକ ନୂଆ ସାଇକେଲ ଦେଇ ସମ୍ମାନିତ କରିଛନ୍ତି । ସେ କହିଛନ୍ତି, ରାମକେବଲ ପୂରା ଗାଁ ପାଇଁ ପ୍ରେରଣା । ରାମକେବଲଙ୍କର ଏହି ସଫଳତା ଗାଁର ଅନ୍ୟ ପିଲାଙ୍କ ମନରେ ଆଶାର ଆଲୋକ ଜଳାଇଛି । ଯେଉଁମାନେ ଏ ଥର ପରୀକ୍ଷାରେ ପାସ୍ ହୋଇନାହାନ୍ତି, ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାମକେବଲ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖୁଛନ୍ତି ।