ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ୱଦ୍ଧ ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭାରତ ଏହାର ପ୍ରତିଶୋଧ ସ୍ୱରୂପ ୧୯୬୦ ମସିହାରେ ସ୍ଥାପିତ ସିନ୍ଧୁ ଜଳ ଚୁକ୍ତି (ଇଣ୍ଡସ୍ ଓ୍ୱାଟର୍ସ ଟ୍ରିଟି)କୁ ସ୍ଥଗିତ ରଖିଛି। ଏହାଛଡା ମଙ୍ଗଳବାର ଭାରତ ଚେନାବ ନଦୀରେ ଥିବା ସଲାଲ ଓ ବାଗଲିହାର ଡ୍ୟାମର ଗେଟ୍ ବନ୍ଦ କରି ପାକିସ୍ତାନକୁ ଜଳପ୍ରବାହ ବନ୍ଦ କରିଛି। ଯାହା ପାକିସ୍ତାନର କୃଷି ଓ ଜଳସେଚନ ପାଇଁ ଏକ ବଡ଼ ମାଷ୍ଟର ଷ୍ଟ୍ରୋକ ହେବ ବୋଲି ଅନୁମାନ କରାଯାଉଛି।
ଆପଣଙ୍କୁ ଜଣାଇରଖୁ ଯେ, ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଉପତ୍ୟକାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ୨୬ ଜଣଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ଜଣେ ନେପାଳୀ ନାଗରିକ ସମେତ ଅନ୍ୟ ସମସ୍ତ ଭାରତୀୟ ପର୍ଯ୍ୟଟକ ଥିଲେ। ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ଅଭିଯୋଗ ହେବା ପରେ ଭାରତ ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଛି।
ଭାରତ ଜମ୍ମୁ ଓ କାଶ୍ମୀରର ଚେନାବ ନଦୀରେ ଥିବା ରମ୍ବାନ ଜିଲ୍ଲାର ବାଗଲିହାର ଡ୍ୟାମ ଓ ରିଆସୀ ଜିଲ୍ଲାରେ ଥିବା ସଲାଲ ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରି ଦେଇଛି। ଯାହା ଫଳରେ ଜମ୍ମୁର ଅଖନୁର ଅଞ୍ଚଳରେ ଚେନାବ ନଦୀର ଜଳସ୍ତର ଅଭୂତପୂର୍ବ ଭାବେ ହ୍ରାସ ପାଇଛି। ଯାହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଖିବା ଖରିଫ ଋତୁକାଳୀନ ଚାଷରେ ବଡ଼ ପ୍ରଭାବ ପକାଇବ। ଏନେଇ ଜାତୀୟ ଜଳବିଦ୍ୟୁତ ନିଗମ(ଏନଏଚପିସି) ଅଧିକାରୀଙ୍କ କହିଛନ୍ତି ଯେ, ଉପର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ପଙ୍କ ଜମା ହୋଇଥିଲା। ଏଣୁ ଏହି ଗେଟ୍ ବନ୍ଦ କରାଯାଇଛି। ଡ୍ୟାମକୁ ସଫା କରାଯାଇ ଏବେ ଜଳାଶୟ ପୁନଃ ପୂରଣ କରାଯାଉଛି।
ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ, ପାକିସ୍ତାନ ଚେନାବ, ଝେଲମ ଓ ସିନ୍ଧୁ ନଦୀର ୮୦% ଜଳ ବ୍ୟବହାର କରିବାର ଅଧିକାର ରହିଛି। ଏହି ନଦୀଗୁଡ଼ିକ ପାକିସ୍ତାନର ପଞ୍ଜାବ ଓ ସିନ୍ଧ ପ୍ରଦେଶରେ କୃଷି ଓ ଜଳସେଚନ ପାଇଁ ଜୀବନାଧାର ଭଳି ବ୍ୟବହୃତ ହୋଇଥାନ୍ତି। ଚେନାବ ନଦୀରେ ଜଳପ୍ରବାହ ହ୍ରାସ ପାଇବା ଫଳରେ ପାକିସ୍ତାନରେ ଖାଦ୍ୟ ସଙ୍କଟ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ତେବେ, ବିଶେଷଜ୍ଞଙ୍କ ମତରେ, ଭାରତରେ ବର୍ତ୍ତମାନ ପର୍ଯ୍ୟାପ୍ତ ଜଳ ସଂରକ୍ଷଣ ଭିତ୍ତିଭୂମି ନଥିବାରୁ ବହୁ ଜଲଦି ଏହା ଉପରେ କାମ କରିବାକୁ ପଡିବ।
ପାକିସ୍ତାନ ଏହି ପଦକ୍ଷେପକୁ ଯୁଦ୍ଧର ଘୋଷଣା ବୋଲି ବିବେଚନା କରି ସମସ୍ତ ଦ୍ୱିପାକ୍ଷିକ ଚୁକ୍ତି ସ୍ଥଗିତ ରଖିବାକୁ ଧମକ ଦେଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୋଜା ଆସିଫ ଧମକ ଦେଇ କହିଛନ୍ତି ଯେ, ଭାରତ ଯଦି ଜଳପ୍ରବାହ ବନ୍ଦ କରିବାକୁ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରେ, ତେବେ ତାହାକୁ ଧ୍ୱଂସ କରାଯିବ। ପାକିସ୍ତାନ ନିଜ ଜଳ ରାଶି ପାଇଁ କାହା ସହ ସାଲିସ କରିବ ନାହିଁ ବୋଲି ସେ କହିଛନ୍ତି।
ଭାରତର ଏହି ପଦକ୍ଷେପ ପାକିସ୍ତାନ ଉପରେ ମାନସିକ ଓ କୂଟନୈତିକ ଚାପ ସୃଷ୍ଟି କରିବାର ଏକ ରଣନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ସହିତ ଭାରତୀୟ ଜଳସୀମାରେ ପାକିସ୍ତାନୀ ଜାହାଜ ପ୍ରବେଶ ଉପରେ ନିଷେଧାଦେଶ, ଆମଦାନୀ ବନ୍ଦ କରିବା ଓ ଡିଜିଟାଲ ମାଧ୍ୟମରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।
ଚେନାବ ନଦୀରେ ଜଳପ୍ରବାହ ବନ୍ଦ ଓ ସିନ୍ଧୁ ଜଳ ଚୁକ୍ତିର ସ୍ଥଗିତ ଘଟଣାପରେ ପାକିସ୍ତାନ ବିଳିବିଳେଇବା ଆରମ୍ଭ କରିଛି। ଏହା ପାକିସ୍ତାନର କୃଷି ଓ ଅର୍ଥନୀତି ଉପରେ ସ୍ୱଳ୍ପମିଆଦୀ କିନ୍ତୁ ଦୀର୍ଘକାଳୀନ ପ୍ରଭାବ ପକାଇବ। କିନ୍ତୁ ପାକିସ୍ତାନ ଉପରେ ଏକ ଦୀର୍ଘମିଆଦୀ ପ୍ରଭାବ ପାଇଁ ଭାରତକୁ ବଡ଼ ଧରଣର ଜଳ ସଂରକ୍ଷଣ ଭିତ୍ତିଭୂମି ନିର୍ମାଣ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।