ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣ ବିବାଦ ସମ୍ପର୍କିତ ପ୍ରସଙ୍ଗରେ ଶୁଣାଣି କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍ କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ। ଏହି ସମୟରେ କୋର୍ଟ କହିଛନ୍ତି, ଏହି ଦେଶରେ ସଂରକ୍ଷଣ ଟ୍ରେନ୍ର ସେହି ବଗି ଭଳି ହୋଇଯାଇଛି, ଯେଉଁଥିରେ ଯିଏ ପଶେ ଅନ୍ୟମାନଙ୍କୁ ଭିତରକୁ ଯିବାକୁ ଦିଏ ନିଏ ନାହିଁ। ଏଭଳି ଏକ ଟିପ୍ପଣୀ ଦେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଯିଏକି ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଦେଶର ୫୩ ତମ ପ୍ରଧାନ ବିଚାରପତି ପଦର ଶପଥ ଗ୍ରହଣ କରିବେ। ତାଙ୍କ ପୂର୍ବରୁ ୧୪ ମଇରେ ଜଷ୍ଟିସ୍ ବିଆର ଗଭଇ ୫୨ ତମ ସିଜେଆଇ ଭାବରେ ଶପଥ ନେବାକୁ ଯାଉଛନ୍ତି।
ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି ଯେ ସାମାଜିକ, ରାଜନୈତିକ କିମ୍ବା ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ଅଧିକ ବର୍ଗକୁ ଚିହ୍ନଟ କରିବା ସରକାରଙ୍କ ଦାୟିତ୍ୱ। କେବଳ କିଛି ପରିବାର ଏବଂ ଗୋଷ୍ଠୀ ସଂରକ୍ଷଣର ଲାଭ ପାଉଛନ୍ତି। ଏହାର ଲାଭ ବାକି ବଞ୍ଚିତ ଲୋକଙ୍କୁ ମିଳିବା ଉଚିତ୍ ନୁହେଁ କି?ଏହା ସହିତ ଖଣ୍ଡପୀଠ କହିଛନ୍ତି ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣର ବିବାଦସ୍ପଦ ପ୍ରସଙ୍ଗ ୨୦୨୨ ରିପୋର୍ଟର ପୂର୍ବଭଳି ରହିବନି। ମାମଲାରେ କୋର୍ଟ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟରେ ସ୍ଥାନୀୟ ନିର୍ବାଚନର ନୋଟିଫିକେସନ୍ ୪ ସପ୍ତାହ ଭିତରେ ଜାରି କରିବାର ମଧ୍ୟ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ପେଶାରେ ବରିଷ୍ଠ ଆଇନଜୀବି ଗୋପାଳ ଶଙ୍କର ନାରାୟଣ। ସେ ଆବେଦନ କରିଥିଲେ ଯେ, ରାଜନୈତିକ ପଛୁଆ ବର୍ଗ ସାମାଜିକ ଓ ଶୈକ୍ଷଣିକ ପଛୁଆ ବର୍ଗଠାରୁ ଅଲଗା। ଏଥିପାଇଁ ଓବିସିକୁ ରାଜନୈତିକ ରୂପରେ ପଛୁଆ ବୋଲି ମାନିହେବନି। ଏହାକୁ ନେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏଭଳି ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଏହି ଦେଶରେ ସଂରକ୍ଷଣର କାରବାର ରେଲଓ୍ବେ ଭଳି ହୋଇଯାଇଛି। ଯେଉଁ ଲୋକ ବଗିରେ ଚଢନ୍ତି, ସେମାନେ ଚାହାନ୍ତି ନାହିଁ ଆଉ କେହି ଭିତରକୁ ଯାଉ। ୨୦୧୬-୧୭ ପରଠାରୁ ମହାରାଷ୍ଟ୍ରରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଏହାର ମୁଖ୍ୟ କାରଣ ହେଉଛି ଓବିସି ସଂରକ୍ଷଣକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ। ୨୦୨୧ ରେ, ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଅଧ୍ୟାଦେଶକୁ ଖାରଜ କରିଦେଇଥିଲେ ଏବଂ ଏକ ତ୍ରିସ୍ତରୀୟ ପରୀକ୍ଷଣ ସର୍ତ୍ତ ନିର୍ଦ୍ଧାରିତ କରିଥିଲେ।