ଓଳାଭର : ନଦୀପାଣି ଦାଉରୁ ଧନଜୀବନକୁ ସୁରକ୍ଷା ଦେବାକୁ ନଦୀ କୂଳିଆ ଜନବସତି ମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟରେ ପଥର ପ୍ୟାକିଂ ହେଉଛି। ହେଲେ ଏହି ପଥର ପ୍ୟାକିଂ କେତେ ସ୍ୱଚ୍ଛ, ତାହା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତଟବନ୍ଧ ଅନ୍ତର୍ଗତ ରାଜକନିକା ବ୍ଲକ୍ ଉପାନ୍ତ ଗାଁ ଶୁକଦେବପୁର ଓ ଗୋପାଳପୁର ତିନିତର ଘାଟ ବୈତରଣୀ ନଦୀର ପଥର ପ୍ୟାକିଂ ଦେଖିଲେ ବୁଝାପଡ଼େ।
ଅଭିଯୋଗରୁ ପ୍ରକାଶ ଯେ, ବୈତରଣୀ ନଦୀ ତିନିତର ଘାଟ ଦକ୍ଷିଣ ପଟେ ପଥର ପ୍ୟାକିଂ କାମ ସରିଛି। ଘାଟ ନିକଟ ନଦୀକୂଳରେ ମାତ୍ର ୮୦ ମିଟର ଯାଏ ଏହି ପଥର ପ୍ୟାକିଂ ହୋଇଛି। ଏଥିପାଇଁ ୩୫ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହି ପଥର ପ୍ୟାକିଂ ଯୋଗୁଁ ପୁରାତନ ତିନିତର ଘାଟର ସୁରକ୍ଷା ସହିତ ଦୁଇ ଗାଁ ଗୋପାଳପୁର ଓ ଶୁକଦେବପୁରର ଧନଜୀବନ ସୁରକ୍ଷିତ ରହି ପାରିବ । ହେଲେ ପରାତାପର ବିଷୟ, ଏହି ପଥର ପ୍ୟାକିଂରେ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି ।
ଅଭିଯୋଗ ଅନୁସାରେ ବୈତରଣୀ ନଦୀ ସର୍ବଦା ଅସ୍ଥିର ଓ ଚିରସ୍ରୋତା । ଏଥିଯୋଗୁଁ ତଟବର୍ତ୍ତୀ ଲୋକେ ନଦୀର ବିଭୀଷିକାକୁ ଦେଖିଛନ୍ତି । ଏମିତିକି ନଦୀ ଆଁରେ ମଧ୍ୟ ଜାଗାଜମି, ଘରବାଡ଼ି ଯିବାର ଆଶଙ୍କା କଲେଣି ଲୋକେ । ଏଭଳି ସ୍ଥଳେ ବିସ୍ତୀର୍ଣ୍ଣ ନଦୀ କୂଳେ କୂଳେ ପଥର ପ୍ୟାକିଂର ବେଶ୍ ଆବଶ୍ୟକତା ଥିବାରୁ ଚଳିତ ବର୍ଷ ପଥର ପ୍ୟାକିଂ କରାଯାଉଛି । ପ୍ରଥମତଃ ଏହି କାମ ପାଇଁ ସୂଚନା ଫଳକ କେଉଁଠି ଦେଖିବାକୁ ମିଳୁ ନଥିବାରୁ ଜନସାଧାରଣ ଏହି କାର୍ଯ୍ୟ ସମ୍ପର୍କରେ କିଛି ଜାଣି ପାରୁନାହାନ୍ତି ।
ଏହି ପଥର ପ୍ୟାକିଂରେ ମୁଖ୍ୟତଃ ଛୋଟ ଛୋଟ ପଥର ବ୍ୟବହାର ହେଉଛି । ଯାହାକି କାର୍ଯ୍ୟର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ମାଣ ବେଳେ ଲଞ୍ଚିଂ ହାଇଟ୍ କେତେ ରହିଛି, ତାହା ବି ସନ୍ଦେହ ଘେରରେ । ସାଧାରଣତ ଲଞ୍ଚିଂ ହାଇଟ୍ ଉପରେ ସମ୍ପୂର୍ଣ୍ଣ ଭାବେ ପଥର ପ୍ୟାକିଂର ସ୍ଥିତାବସ୍ଥା ନିର୍ଭର କରିଥାଏ । ଏଥିପାଇଁ ନଦୀ ମଧ୍ୟରେ ବଡ଼ ବଡ଼ ପଥର ଖଞ୍ଜାଯାଇ ବେସ୍ ପ୍ରସ୍ତୁତ କଲା ପରେ ପଥର ପ୍ୟାକିଂ କରାଯାଇଥାଏ । ତା’ସହିତ ବେସ୍ ଯେତେ ମଜଭୁତ୍ ହୁଏ, ସ୍ଲାବ୍ ମଧ୍ୟ ସେହି ଧରଣର ଶକ୍ତ ହୋଇଥାଏ ।
ହେଲେ ଏଠାରେ ଲଞ୍ଚିଂ ହାଇଟ୍କୁ ନେଇ ସନ୍ଦେହ ଦେଖାଦେଇଛି । ସ୍ଥାନୀୟ ଲୋକେ ଲଞ୍ଚିଂ ହାଇଟ୍ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ପଥର ପ୍ୟାକିଂର ଶିଖରରେ ପଥରର ହିଡ଼ ଦିଆଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏଠାରେ ତାହା କରାଯାଇନାହିଁ । ପଥର ପ୍ୟାକିଂର ନିକଟ ଚାଷଜମିକୁ ଖୋଳି ମାଟିର ହିଡ଼ ଦିଆଯାଇଛି । ମାଟି ଖୋଳା ଯାଇଥିବା ଜମିରେ ବର୍ଷା ପାଣି କିମ୍ବା ବନ୍ୟା ପାଣି ପଶିଲେ ପଥର ଶଯ୍ୟାଟି ଧସିଯିବାର ଆଶଙ୍କା ଦେଖା ଦେଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା ଯୁକ୍ତି ବାଢ଼ି ଲଞ୍ଚିଂ ହାଇଟ୍କୁ ନେଇ ଏହାର ବୈଷୟିକ ଦିଗ ପ୍ରତି କିଛି ନକହି ଓଲଟା କାମ ଠିକ୍ ହୋଇଥିବା କହିଛନ୍ତି । ତେବେ ମାଟି ହିଡ଼ କାହିଁକି ଦିଆଯାଇଛି ବୋଲି ପଚାରିବାରୁ ଏହାକୁ ଖଣ୍ଡନ କରି ପଥର ହିଡ଼ ଦିଆଯାଇଛି ବୋଲି ସଫେଇ ଦେଇଛନ୍ତି ।
ଏମିତିକି ପଥର ପ୍ୟାକିଂ ପାଖ ଚାଷ ଜମିରୁ ମାଟି ଖୋଳି ଖାଲୁଆ କରିଛନ୍ତି ବୋଲି ଜମି ମାଲିକ ଅଭିଯୋଗ କରିଛନ୍ତି । ପଥର ପ୍ୟାକିଂରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ତେଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବିଭାଗୀୟ ଉଚ୍ଚାଧିକାରୀ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସମାଜସେବୀ ବିନୋଦ ନାୟକ, ଅଜୟ ନାୟକ ପ୍ରମୁଖ ଦାବି କରିଛନ୍ତି ।