ମୁମ୍ବାଇ, ୩୦/୦୧ : ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଦିଲ୍ଲୀର ଯୁବ ପେସ୍ ବୋଲର ହର୍ଷିତ ରାଣାଙ୍କୁ ଡାକରା ମିଳିଛି । ୱାଙ୍ଖଡେ ଷ୍ଟାଡ଼ିୟମ୍ରେ ଆସନ୍ତା ଶୁକ୍ରବାର ଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ହର୍ଷିତ ସମ୍ପ୍ରତି ରଣଜୀ ଟ୍ରଫି ଖେଳୁଛନ୍ତି । ଗତ ଆସାମ ବିପକ୍ଷ ମ୍ୟାଚ୍ରେ ସେ ୭ଟି ୱିକେଟ୍ ଅକ୍ତିଆର କରିବା ସହ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ମଧ୍ୟ ହର୍ଷିତଙ୍କୁ ଦଳରେ ସ୍ଥାନ ମିଳିଥିଲା । ଭାରତ ପ୍ରଥମ ୨ଟି ଟେଷ୍ଟ ପରାଜିତ ହୋଇ ସାରିଛି । ତୃତୀୟ ଟେଷ୍ଟ ପାଇଁ ଦଳରେ ଅଦଳ ବଦଳ ସମ୍ଭାବନା ରହିଛି । ହୁଏତ ବର୍ଡର-ଗାଭାସ୍କର ଟ୍ରଫିକୁ ନଜରରେ ରଖି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେବାର ଯୋଜନା ରହିଛି ।
ପୁନେରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୱାସିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଥିଲା । ଦଳରେ ରହିଥିବା ଅନ୍ୟ ସ୍ପିନର କୁଲଦୀପ ଯାଦବ ଆହତ ହୋଇଥିବା ପରେ ସ୍ପଷ୍ପ ହୋଇଥିଲା । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ସମୟରେ ଚୟନ କମିଟି ତାଙ୍କ ଆହତ ଖବର ପ୍ରକାଶ କରିଥିଲା । ରାଣାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ମିଳିଥିଲା । ମାତ୍ର ମୁଖ୍ୟ ଦଳରେ ସେ ସ୍ଥାନ ପାଇ ନଥିବାରୁ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ଖେଳିବାକୁ ଅନୁମତି ପାଇଥିଲେ ।