ନୂଆଦିଲ୍ଲୀ,୦୨/୦୧ : ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତୀୟ ଦଳର ନୈରାଶଜନକ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମ୍ର ଭିତିରି କଥା ବାହାରକୁ ଆସିବା ନେଇ ହେଡ୍ କୋଚ୍ ଗୌତମ ଗମ୍ଭୀର ଖପ୍ପା। ଡ୍ରେସିଂ ରୁମ୍ର ଆଲୋଚନା ବାହାରକୁ ଆସିବା ପରେ ପ୍ରେସ୍ମିଟ୍ରେ ଅସନ୍ତୋଷ ବ୍ୟକ୍ତ କଲେ ଗମ୍ଭୀର। ସେ କହିଛନ୍ତି ଯେ, 'ଖେଳାଳି ଏବଂ କୋଚ୍ଙ୍କ ମଧ୍ୟରେ ଆଲୋଚନା ଡ୍ରେସିଂ ରୁମ୍ ପର୍ଯ୍ୟନ୍ତ ସୀମିତ ରହିବା ଉଚିତ୍। ଡ୍ରେସିଂ ରୁମ୍ର ଆଲୋଚନା ସାର୍ବଜନୀନ ହେବା ଉଚିତ୍ ନୁହେଁ। ଯେପର୍ଯ୍ୟନ୍ତ ବିଶ୍ଵସ୍ତ ବ୍ୟକ୍ତି ଡ୍ରେସିଂ ରୁମ୍ରେ ଅଛନ୍ତି, ସେପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ସୁରକ୍ଷିତ ଅଛି। ଆପଣଙ୍କୁ କେବଳ ଗୋଟିଏ ଜିନିଷ ଡ୍ରେସିଂ ରୁମ୍ରେ ରହିବା ପାଇଁ ସୁଯୋଗ ଦେବ, ତାହା ହେଉଛି ଉତ୍ତମ ପ୍ରଦର୍ଶନ। ବିଶ୍ଵାସନୀୟତା ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ।'
ଗମ୍ଭୀର ଆହୁରି କହିଛନ୍ତି ଯେ, ବିରାଟ କୋହଲି ଏବଂ ଟିମ୍ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ସହ ଟେଷ୍ଟ ମ୍ୟାଚ୍ ଜିତିବା ରଣନୀତି ଛଡ଼ା ସେ ଅନ୍ୟ କୌଣସି କଥା ହୋଇନାହାନ୍ତି। କେଉଁଠାରେ ସୁଧାର ଆବଶ୍ୟକତା ରହିଛି ତାହା ପ୍ରତି ଖେଳାଳି ଜାଣିଛନ୍ତି। ସିଡନୀ ଟେଷ୍ଟ ମ୍ୟାଚ୍ କିପରି ଜିତି ହେବ, କେବଳ ସେହି ବିଷୟରେ ଆଲୋଚନା ହୋଇଛି। ତେବେ ଆହତ ଆକାଶଦୀପ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଅଣ୍ଟାରେ ଆଘାତ ଲାଗିଛି। ଆକାଶଦୀପଙ୍କ ସ୍ଥାନରେ ଆଉ କାହାକୁ ସୁଯୋଗ ମିଳିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ପ୍ଲେଇଂ ଇଲେଭେନ ମଧ୍ୟରୁ ୱିକେଟ୍ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।
ରୋହିତ ଶର୍ମାଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଗମ୍ଭୀର କହିଛନ୍ତି ଯେ, ଆମେ କାଲି ପ୍ରଥମେ ପିଚ୍କୁ ପରଖିବୁ ଏହାପରେ ନିଷ୍ପତ୍ତି ନେବୁ। ଭାରତୀୟ ଟିମ୍ ମଧ୍ୟରେ ତାଳମେଳ ନଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ଏହା ଗୁଜବ। ଏହି କଥାରେ ତିଳେ ମାତ୍ର ସତ୍ୟତା ନାହିଁ। ଏହାର ଉତ୍ତର ଦେବାକୁ ଚାହୁଁନି। ସମସ୍ତେ ଏକାଠି ହୋଇ ସଫଳତାର ଶୀର୍ଷକୁ ଛୁଇଁବା ଉଚିତ୍।