ପାରଳାଖେମୁଣ୍ଡି, ୧୧/୧୦ : ମାର୍ଚ୍ଚରୁ ଖାଲି ପଡ଼ିଛି ଶିଶୁ ବିଶେଷଜ୍ଞ ପଦବି। ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଆନ୍ଧ୍ରପ୍ରଦେଶରୁ ଜଣେ ଶିଶୁ ବିଶେଷଜ୍ଞ ଆଉଟ୍ସୋର୍ସିଂରେ ଆସୁଛନ୍ତି । ସେ ପୁଣି ସପ୍ତାହକୁ ୩ ଦିନ। ବାଧ୍ୟ ହୋଇ ଅନ୍ୟ ଜିଲ୍ଲା ଡାକ୍ତରଖାନାକୁ ଶିଶୁ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଉଛି। ଠିକ୍ ସମୟରେ ଚିକିତ୍ସା ହୋଇପାରୁ ନାହିଁ । ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଅନ୍ୟତ୍ର ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଡାକ୍ତରଖାନା ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ରୋଗୀ ସେବାରେ ଯେପରି ଅବହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ମାତ୍ର ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ଡାକ୍ତର ମାର୍ଚ୍ଚ ମାସରୁ ନାହନ୍ତି । ରୋଗୀ ଠିକ୍ ସମୟରେ ସେବା ପାଉନାହାନ୍ତି । ଗଜପତି ଜିଲ୍ଲା ସମେତ ଓଡ଼ିଶାର ରାୟଗଡ଼ା, ଗୁଣୁପୁର ଏବଂ ଆନ୍ଧ୍ର ବାସିନ୍ଦା ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସିଥାନ୍ତି । ଗତ ମାର୍ଚ୍ଚରେ ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପାଢ଼ୀଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି । ତା’ପରଠାରୁ ଏହି ପଦବି ଖାଲି ପଡ଼ିଛି । ଜିଲ୍ଲା ଡାକ୍ତରଖାନାରେ ଏଭଳି ପରିସ୍ଥିତିକୁ ନେଇ ଅସନ୍ତୋଷ ବଢ଼ିବାରୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ଜଣେ ଶିଶୁ ବିଶେଷଜ୍ଞଙ୍କୁ ଏଠାକୁ ଡକାଯାଉଛି । ସେ ସପ୍ତାହକୁ ତିନି ଦିନ ଆସୁଛନ୍ତି । ସେ ପୁଣି କିଛି ସମୟ ପାଇଁ । ସେବା ଠିକ୍ ଭାବେ ପାଇ ନପାରି ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ବାହାର ଜିଲ୍ଲାକୁ ନେଉଛନ୍ତି । ସମୟ ନଷ୍ଟ ସାଙ୍ଗକୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏନେଇ ଏଡିଏମ୍ଓ ଡାକ୍ତର ପ୍ରମୋଦ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ବାରମ୍ବାର ଅବଗତ କରାଯାଇଛି । ଆଜି ପର୍ଯ୍ୟନ୍ତ ପଦବି ପୂରଣ ହୋଇ ନାହିଁ । ଏନେଇ ରୋଗୀଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରୁଛନ୍ତି । ଏନେଇ ଶ୍ରୀକାକୁଲମ ଜିଲ୍ଲାରୁ ଜଣେ ଡାକ୍ତରଙ୍କୁ କିଛି ପ୍ରାପ୍ୟ ଦେଇ ଅଣାଯାଉଛି ବୋଲି ଏଡିଏମ୍ଓ କହିଛନ୍ତି । ସିଡିଏମ୍ଓ ଏମ୍.ଏମ୍ ଅଲ୍ଲି ମଧ୍ୟ କହିଛନ୍ତି ଯେ, ବହୁଥର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଯାଇଛି ।
ସଂସଦର ଶୀତକାଳୀନ ଅଧିବେଶନ ଶେଷ; ହଟ୍ଟଗୋଳ ପାଇଁ ଲୋକସଭ...