ନୂଆଦିଲ୍ଲୀ,୨୮/୧୨ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଚଳିତବର୍ଷ (୨୦୨୪) ସମଗ୍ର ବିଶ୍ୱରେ ଅତିରିକ୍ତ ୨୧ ଦିନ ତାତି ବଢ଼ିଛି । ଏହି ଗରମ ଯୋଗୁ ୩୭୦୦ ଲୋକଙ୍କ ଜୀବନ ଯାଇଛି । କେବଳ ଏତିକି ନୁହେଁ, ଚଳିତବର୍ଷ ୨୯ଟି ବଡ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ଯେଉଁଥିରେ ୨୬ଟି ଜଳବାୟୁ ପରିବର୍ତ୍ତନ ଯୋଗୁ ହୋଇଛି ବୋଲି ୱାର୍ଲଡ ୱେଦର ଆଟ୍ରିବ୍ୟୁସନ (ଡବ୍ଲ୍ୟୁଡବ୍ଲ୍ୟୁଏ) ଓ କ୍ଲାଇମେଟ ସେଣ୍ଟ୍ରାଲ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ।
ରିପୋର୍ଟରେ କୁହାଯାଇଛି କି ୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ହୋଇଛି । ପ୍ରବଳ ଗରମ ଯୋଗୁ ଲକ୍ଷାଧିକ ଲୋକ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ନିୟୁତାଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ତାପମାତ୍ରା ରେକର୍ଡ ସ୍ତର ଛୁଇଁବାରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଜଙ୍ଗଲ ନିଆଁ, ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ବିଶ୍ୱବାସୀ । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲା ବେଳେ ଆହୁରି ଅନେକ ଘରଦ୍ୱାର ଛାଡି ଅନ୍ୟତ୍ର ପଳାଇବାକୁ ବାଧ୍ୟ ହୋଇଛନ୍ତି । ଏପରିକି ଆମଜନ ଜଙ୍ଗଲ ମଧ୍ୟ ଶୁଷ୍କ ହୋଇଯାଇଛି ।
ଡବ୍ଲ୍ୟୁଡବ୍ଲ୍ୟୁଏ ମୁଖ୍ୟ ଡକ୍ଟର ଫ୍ରେଡରିକେ ଓଟୋଙ୍କ ସୂଚନା ଅନୁଯାୟୀ ବିଶ୍ୱରେ ଜୀବାଶ୍ମ ଇନ୍ଧନ ଜାଳିବା ପ୍ରକ୍ରିୟା ଜାରି ରହିଛି । ଏହା ଜାରି ରହିଲେ ଜଳବାୟୁ ପରିବର୍ତ୍ତନ ବଢ଼ିଚାଲିବ । ଯଦି ପ୍ରତିବର୍ଷ ତାପମାତ୍ରା ୨ ଡିଗ୍ରୀ ସେଲ୍ସିୟସ ହାରରେ ବୃଦ୍ଧି ପାଇବ ତେବେ ୨୦୪୦ ବେଳକୁ ସ୍ଥିତି ଅତ୍ୟନ୍ତ ଭୟାନକ ହୋଇଯିବ । ଗ୍ରୀଷ୍ମପ୍ରବାହ ହେଉଛି ପାଣିପାଗର ସବୁଠାରୁ ବିପଜ୍ଜନକ ସ୍ତର । ତୈଳ, ଗ୍ୟାସ୍ ଓ କୋଇଲା ଭଳି ଇନ୍ଧନର ବହୁଳ ବ୍ୟବହାର କରାଯିବା ଫଳରେ ପୃଥିବୀ ପୃଷ୍ଠ ଦିନକୁ ଦିନ ଅଧିକ ଉତ୍ତପ୍ତ ହେବାରେ ଲାଗିଛି, ଯାହାକି ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଆଣୁଛି ।
ଗତବର୍ଷ କପ୍ ୨୮ରେ ଜୀବାଶ୍ମ ଇନ୍ଧନ ବ୍ୟବହାର କମ କରିବାକୁ ବିଶ୍ୱର ନେତାମାନେ ସହମତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ନୂଆନୂଆ ତୈଳ ଭଣ୍ଡାର ଓ ଗ୍ୟାସ୍ ଫିଲ୍ଡ ଖୋଲିବାରେ ଲାଗିଛି । ଯାହା ପୃଥିବୀର ତାପମାତ୍ରାକୁ ବିଗାଡି ଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ କମ୍ ଜନସଂଖ୍ୟା ଓ କମ୍ ବିକଶିତ ଦେଶଗୁଡିକ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ଜଳବାୟୁ ପରିବର୍ତ୍ତନରୁ ବର୍ତ୍ତିବାକୁ ହେଲେ ଲୋକଙ୍କୁ ସଚେତନ କରିବାକୁ ହେବ ବୋଲି କ୍ଲାଇମେଣ୍ଟ ସେଣ୍ଟ୍ରାଲର ଜଳବାୟୁ ବିଜ୍ଞାନ ଉପାଧ୍ୟକ୍ଷ କ୍ରିଷ୍ଟିନା ଡାହଲ କହିଛନ୍ତି ।