ମୁମ୍ବାଇ: ଇଣ୍ଡିଗୋ ଏୟାର ଲାଇନ୍ର ଯାତ୍ରୀଙ୍କୁ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଦୀର୍ଘ ସମୟ ଧରି ବିମାନ ଅପେକ୍ଷାରେ ବିତାଇଛନ୍ତି ଇଣ୍ଡିଗୋ ଯାତ୍ରୀ । ମୁମ୍ବାଇ ଏୟାରପୋର୍ଟରେ ଖାଦ୍ୟ ଓ ପାନୀୟ ବିନା ପ୍ରାୟ ୧୬ ଘଣ୍ଟା ଧରି ଯାତ୍ରୀମାନେ ଅପେକ୍ଷା କରିଥିବା ଜଣାପଡ଼ିଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ ଜଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ୬ଇ୧୭ ବିମାନ ଆଜି ସକାଳ ୬ଟା ୫୫ରେ ମୁମ୍ବାଇରୁ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିବାର ଥିଲା । ଏବେ ଏହାର ବିକଳ୍ପ ଭାବରେ ଅନ୍ୟ ଏକ ବିମାନ ରାତି ୧୧ଟାରେ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି ।
ସେପଟେ ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଇଣ୍ଡିଗୋ ଏୟାର ଲାଇନ୍ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । କମ୍ପାନି କହିଛି ଯେ, ବୈଷୟିକ ତ୍ରୁଟି କାରଣରୁ ବିମାନ ଉଡ଼ାଣ ବିଳମ୍ବ ହୋଇଛି । ବହୁ ଚେଷ୍ଟା ସତ୍ତ୍ବେ ବିମାନ ଉଡ଼ାଣ ସମ୍ଭବ ହୋଇପାରିଲା ନାହିଁ, ତେଣୁ ଅନ୍ୟ ଏକ ବିମାନର ବନ୍ଦୋବସ୍ତ କରାଯାଇଛି । ଏହା ରାତି ୧୧ରେ ଇସ୍ତାନବୁଲ ଅଭିମୁଖେ ଉଡ଼ାଣ ଭରିବ । ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ଲାଗି ଇଣ୍ଡିଗୋ ସର୍ବଦା ତତ୍ପର ବୋଲି କମ୍ପାନି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ।
ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ, ଅନ୍ୟ ଏକ ବିମାନ ନେଇ କମ୍ପାନି ଘୋଷଣା କରିବା ପୂର୍ବରୁ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବିମାନ ଉଡ଼ାଣ ବାତିଲ ହୋଇଛି କି ନାହିଁ, ସ୍ପଷ୍ଟ ସୂଚନା ନପାଇ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ଯାତ୍ରୀ ବିଶେଷ କରି ଛାତ୍ରଛାତ୍ରୀମାନେ ଏୟାରପୋର୍ଟରେ ଆନ୍ଦୋଳନ ମଧ୍ୟ କରିଛନ୍ତି । ଇଣ୍ଡିଗୋ ଏୟାର ଲାଇନ୍ର କର୍ମଚାରୀ ଯାତ୍ରୀଙ୍କୁ ବିମାନ ଉଡ଼ାଣ ସଂପର୍କରେ ସଠିକ ତଥ୍ୟ ଦେଇନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ବିମାନ ଉଡ଼ାଣ ନେଇ ସ୍ପଷ୍ଟତା ନଥିବା ବେଳେ ଲୋକେ ଭୋକ ଉପାସରେ ଅପେକ୍ଷା କରି ବିରକ୍ତ ହୋଇଯାଇଛନ୍ତି । ସକାଳ ୬.୫୫ରେ ବିମାନ ଉଡ଼ାଣ ଥିବା ବେଳେ ଯାତ୍ରୀମାନେ ଏହାର ୧ ଘଣ୍ଟା କିମ୍ବା ତାପୂର୍ବରୁ ଏୟାରପୋର୍ଟରେ ପହଞ୍ଚିଥିବେ । କିନ୍ତୁ ଏବେ ସେମାନଙ୍କୁ ରାତି ୧୧ ଯାଏଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।