ଦିଲ୍ଲୀରେ ୧୦୧ ବର୍ଷ ପରେ ରେକର୍ଡ ବର୍ଷା, ଡିସେମ୍ବରର ଗୋଟିଏ ଦିନରେ ପ୍ରବଳ ବର୍ଷିଲା

Published By : Tapas Panda | December 28, 2024 9:44 PM

Image Courtesy: deccanchronicle

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ଦେଖିଲା ଜାତୀୟ ରାଜଧାନୀ ଦିଲ୍ଲୀ । ୧୯୨୩ ଡିସେମ୍ୱର ୩ ପରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୨୩ ଡିସେମ୍ୱର ୩ରେ ୭୫.୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ଦୀର୍ଘ ୧୦୧ ବର୍ଷ ପରେ ଡିସେମ୍ବର ମାସରେ ଗୋଟିଏ ଦିନରେ ପ୍ରବଳ ବର୍ଷା ହୋଇଛି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦିଲ୍ଲୀରେ ଡିସେମ୍ୱରର ପ୍ରଥମ ବର୍ଷା ଗୁରୁବାର ରାତି ପ୍ରାୟ ୨.୩୦ ମିନିଟରୁ ଆରମ୍ଭ ହୋଇଥିଲା ଏବଂ ସାରା ଦିନ ଜାରି ରହିଥିଲା । 

ପାଣିପାଗ ବିଭାଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ,  ୨୦୨୪  ଡିସେମ୍ବରରେ ଏବେ ସୁଦ୍ଧା ୪୨.୮ ମିଲିମିଟର ବର୍ଷା ହୋଇଛି । ଯାହା ଗତ ୨୩ ବର୍ଷରେ ଡିସେମ୍ୱରରେ ସବୁଠୁ ଅଧିକ ବର୍ଷା । ଏହାରି ଭିତରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଛି । ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପାମାତ୍ରା ୧୩ ଡିଗ୍ରି ସେଲସିୟସକୁ ଖସିଆସିଛି । 

ପାଣିପାଗ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ସକ୍ରିୟ ପଶ୍ଚିମା ଝଡ଼ ଏବଂ ପୂର୍ବ ବାୟୁ ପ୍ରବାହ ଯୋଗୁଁ ଦିଲ୍ଲୀ ଏବଂ ଏନ୍‌ସିଆର ଅଞ୍ଚଳ ସମେତ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ତେବେ ଦିଲ୍ଲୀ ଏବଂ ଏନସିଆରରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ବାୟୁ ପ୍ରଦୂଷଣର ମାତ୍ରା କମିଛି ।  ବାୟୁର ମାନ ବା ଏକ୍ୟୁଆଇ ୧୭୯କୁ ଖସି ଆସିଥିବା ଜଣାପଡ଼ିଛି ।  ସେହିଭଳି ଯଦି ବର୍ଷା ଲାଗି ରୁହେ ତେବେ ଦିଲ୍ଲୀ-ଏନସିଆରର ତାପାମତ୍ରା ସର୍ବାଧିକ ୧୬ ଡିଗ୍ରି ଏବଂ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି । 

  • delhi
  • new delhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.