ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୫ ହଜାର ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ) ଛାତ୍ରବୃତ୍ତି ତାଲିକା ପ୍ରକାଶ , ଓଡ଼ିଶାର ୧୨୦ ଜଣ ମନୋନୀତ

Published By : Prameya | December 28, 2024 9:22 PM

ଭୁବନେଶ୍ୱର : ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ଛାତ୍ରବୃତ୍ତି ପାଇଁ ସମଗ୍ର ଭାରତରୁ ୫,୦୦୦ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଧୀରୁଭାଇ ଅମ୍ବାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ମନୋନୀତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ୨୦୨୪-୨୫ ଅଣ୍ଡର ଗ୍ରାଜୁଏଟ ବୃତ୍ତି ଅଧୀନରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଏହି ଛାତ୍ରବୃତ୍ତି ପାଇଁ ୧ ଲକ୍ଷରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ପାରିବାରିକ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ କମ୍‌।

ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।

ଏକ ଲକ୍ଷ ଆବେଦନକୁ ନେଇ ଖୁସି ବ୍ୟକ୍ତ କରି ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି ଯେ, "ମନୋନୀତ ଛାତ୍ରଛାତ୍ରୀମାନେ ଦେଶର ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଶିକ୍ଷା ହେଉଛି ଭବିଷ୍ୟତର ଚାବିକାଠି ଏବଂ ଆମେ ଏହି ଛାତ୍ରଛାତ୍ରୀଙ୍କ ଶିକ୍ଷା ଯାତ୍ରାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛୁ । ସମ୍ମାନଜନକ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର ଗ୍ରାଜୁଏଟ ବୃତ୍ତି ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବା, ଯାହା ଫଳରେ ଭାରତର ବିକାଶରେ ସେମାନେ ନିଜର ଯୋଗଦାନ ଦେଇପାରିବେ।"

ଛାତ୍ରବୃତ୍ତିର ସମ୍ପୂର୍ଣ୍ଣ ତାଲିକା www.reliancefoundation.org ଦେଖିବାକୁ ମିଳିବ। ୧୭ ଅଙ୍କ ବିଶିଷ୍ଟ ଆବେଦନ ସଂଖ୍ୟା କିମ୍ବା ପଞ୍ଜୀକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଜାଣିପାରିବେ। ୨୦୨୨ ଡିସେମ୍ବରରେ ରିଲାଏନ୍ସ ପ୍ରତିଷ୍ଠାତା ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ୫୧୦୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯାଉଛି। ରିଲାଏନ୍ସ ଫାଉଣ୍ଡେସନର ଛାତ୍ରବୃତ୍ତିର ଭାରତର ସର୍ବବୃହତ ଘରୋଇ ଛାତ୍ରବୃତ୍ତି ଭାବରେ ରେକର୍ଡ ମଧ୍ୟ ରହିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.