ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଧାମରା ତଣ୍ଟି ଚିପି ଦେଲେଣି : ଫାଇଲ୍‌ରେ ୪୧ ହଜାର କୋଟିର ଯୋଜନା, ୧୨ ବର୍ଷ ହେଲା ସବୁ ପ୍ରକଳ୍ପ ଅଧୁରା

ଧାମରା, ୧୮ା୭ (ଅଭୟ ପତି) : ଶିଳ୍ପ ତ କଲେ ନାହିଁ। ପ୍ରକଳ୍ପର ବାଟ ବନ୍ଦ କରି ଧାମରାର ସବୁଦିନ ପାଇଁ ତଣ୍ଟିଚିପି ଅଣନିଃଶ୍ୱାସୀ କରିଦେଲେ। ଯେତିକି ବି ପ୍ରକଳ୍ପ ଏଠାରେ ହେବ ଓ ରାଜ୍ୟର ବିକାଶ ହେବ ବୋଲି ଆଶା କରାଯାଉଥିଲା ତାହା ସବୁ ପାଣିଫୋଟକା ପରି ମିଳାଇଗଲା। ୨୦୧୭ରେ ପ୍ରଥମ ମେକ୍‌ ଇନ୍‌ ଓଡ଼ିଶାରେ ସ୍ଥାନ ପାଇଥିବା ଧାମରା ବିମାନଘାଟି ପାଇଁ ଏଯାଏଁ ଜମି ଅଧିଗ୍ରହଣ ହୋଇପାରିଲା ନାହିଁ । 

ଖାଲି ସେତିକି ନୁହଁ, ଭଦ୍ରକ ଜିଲ୍ଲାବାସୀଙ୍କୁ ଯେଉଁ ୪୧ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଆଶା ଦେଖାଯାଇଥିଲା ତାହା ଆଶାରେ ରହିଗଲା । ୧୨ ବର୍ଷ ହେଲା ୪୧ହଜାର କୋଟି ଟଙ୍କାର ଯୋଜନା ଫାଇଲ୍‌ ଭିତରେ ବନ୍ଧା ହୋଇ ପଡ଼ିଛି ଯେ ଆଗଉନାହିଁ । ଧାମରା ଉପକୂଳରେ ଏହି ୪୧ ହଜାର କୋଟି ଟଙ୍କାର ବିଭିନ୍ନ କଳକାରଖାନା ବସାଇବା ପାଇଁ ଦେଶ ଓ ଦେଶ ବାହାରର ବିଭିନ୍ନ କମ୍ପାନି ଯେଉଁ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ ତାହା ଆଶାରେ ରହିଗଲାଣି । ବିଦେଶୀ କି ଦେଶୀ କମ୍ପାନି କେହି ଜଣେ ହେଲେ ଧାମରା ମାଟି ମାଡ଼ୁନାହାନ୍ତି । ଏହି କମ୍ପାନିଗୁଡ଼ିକ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା ତାହାକୁ କିଏ ମାଡ଼ି ବସିଲାଣି ତାର ଠିକଣା ନାହିଁ । ୨୦୦୭ରୁ ବନ୍ଦର ନିର୍ମାଣ ପାଇଁ ଇଟା ପଡ଼ିଲା । ସ୍ୱପ୍ନ ଦେଖାଇଲେ ତତ୍କାଳୀନ ରାଜ୍ୟ ସରକାର ଓ ସ୍ୱପ୍ନ ଦେଖିଲେ ଜିଲ୍ଲାବାସୀ। 

୨୦୦୭ରୁ ୨୦୧୦ ଯାଏଁ ଧାମରା ବନ୍ଦର ପାର୍ଶ୍ୱରେ ବିଭିନ୍ନ ପ୍ରକାର ଶିଳ୍ପ ଗଢ଼ିଉଠିବା ପାଇଁ ଶିଳ୍ପପତିମାନେ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କଲେ। ଏହା ସାଙ୍ଗକୁ ଧାମରା ଉପକୂଳରେ ସମୁଦ୍ର ଭିତରେ ତୈଳକୂପ ଉତ୍ତୋଳନ କରିବାକୁ ରିଲିଆନ୍ସ କମ୍ପାନି ମଧ୍ୟ ଆଗେଇ ଆସିଲା । ପାଖାପାଖି ୪୧ ହଜାର କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁ ଆଶା ସୃଷ୍ଟି ହୋଇଥିଲା ତାହା ଆକାଶ କଇଁଆ ଚିଲିକା ମାଛ ପରି ହୋଇଛି । ଚରଦିଆରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ ସୁରେନ୍ଦ୍ର ଗ୍ରୁପ୍‌ ଅଫ୍‌ କମ୍ପାନି ଓ ଭାରତୀ ସିପ୍‌ୟାର୍ଡ କମ୍ପାନି ମିଳିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଜାହାଜ ତିଆରି କାରଖାନା ସାଙ୍ଗକୁ ଅଏଲ୍‌ ଲିକ୍‌ କାରଖାନା ପ୍ରତିଷ୍ଠା କରିବାକୁ ପ୍ରଥମ ପର୍ଯ୍ୟାୟରେ ୩୧୪୨ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖଯାଇଥିଲା । ଏଥିପାଇଁ ଜମି ବି ଅଧିଗ୍ରହଣ ହୋଇସାରିଥିଲା । ତାହା ମଝି ବାଟରେ ଅଟକି ଯାଇଛି । ପୁଞ୍ଜି ନିବେଶକାରୀ ଗାଏବ ହୋଇଯାଇଛନ୍ତି । 

ସେହିପରି ଏଲ୍‌ଏଣ୍ଡ୍‌ଟି କମ୍ପାନି ଏକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨୦୦୮ରୁ ପ୍ରସ୍ତାବ ରଖିଥିଲା । ଏଥିପାଇଁ କମ୍ପାନି ୧୫୪୫ ଏକର ଜମି ଆବଶ୍ୟକ କରୁଥିଲା । ଏଠାରେ ୧୦ ହଜାର ୨୧୬ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥାନ୍ତା । କିନ୍ତୁ ତାହା ବି ଘୋଷଣାରେ ସୀମିତ ରହିଯାଇଛି । ସେହିପରି ଗୁଜରାଟର ଉଇଲ୍‌ସ ଫୋନ୍‌ କମ୍ପାନି ଷ୍ଟିଲ୍‌ କାରାଖାନା ଶିଳ୍ପ ପ୍ରତିଷ୍ଠା ପାଇଁ ଧାମରା ବନ୍ଦର ପାଚେରୀ ପାଶ୍ୱର୍ରେ ୩୦୦ ଏକରୁ ଅଧିକ ଜମି କିଣି ନିଜ ବାଡ଼ ବୁଲାଇଛି । ଏହି ପାଚେରୀ ବୁଲାଇଲା ବେଳେ ଗୁଳିକାଣ୍ଡ ଘଟି ଜଣେ ଶ୍ରମିକର ଜୀବନ ବି ଯାଇଥିଲା । ଉଇଲ୍‌ସ ଫୋନ୍‌ କମ୍ପାନି ବିଦାୟ ନେବା ପରେ କିଣିଥିବା ଜମି ଧାମରା ବନ୍ଦରକୁ ହସ୍ତାନ୍ତର କରିଦେଇଛି । ତେଣୁ ଷ୍ଟିଲ୍‌ କାରଖାନାର ଏହି ୬୧୦୦ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ସ୍ୱପ୍ନ ହୋଇଯାଇଛି । ବିନାନି ସିମେଣ୍ଟ କମ୍ପାନି ପକ୍ଷରୁ ପ୍ରସ୍ତାବିତ ୧୩୦ କୋଟି ଟଙ୍କାର ଝାମା ଇଟା ୟୁନିଟ୍‌ ପ୍ରକଳ୍ପ ଘୋଷଣାରେ ରହିଯାଇଛି । 

ଅନୁରୂପ ଭାବେ ଶ୍ରୀ ମେଟାଲିକ୍‌ କମ୍ପାନି ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ପାୱାର ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା । ପ୍ଲାଣ୍ଟ୍‌ ଦୂରର କଥା ଇଟା ଖଣ୍ଡିଏ ବି ପଡ଼ିନାହିଁ । ସେହିପରି ରଶ୍ମି ମେଟାଲିକ୍‌ ମନ୍ତେଇ ନଦୀ କୂଳରେ ବଳିଆରପୁର ଓ ମହୁଲିଆ ଆଦି ଅଞ୍ଚଳରୁ ଶହ ଶହ ଏକର ଜମି କିଣି ଏକ ପାୱାର ପ୍ଲାଣ୍ଟ୍‌ ଓ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ କରିଥିଲା । ଏହି କମ୍ପାନି ୩୪୫୬ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ଘୋଷଣା କରିଥିଲା । କୋଣାର୍କ କ୍ରାନ୍ତି ଏନର୍ଜି ଲିମିଟେଡ୍‌ ଧାମରା ବନ୍ଦର ପାର୍ଶ୍ୱରେ ୧୫୦ କୋଟି ଟଙ୍କାର ପେଟ୍ରୋଲିୟମ୍‌ ଷ୍ଟୋରେଜ୍‌ ଟ୍ୟାଙ୍କ୍‌ ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲା । ପେଟ୍ରୋନେଟ୍‌ ଏନର୍ଜି କମ୍ପାନି ପକ୍ଷରୁ ୫ ହଜାର କୋଟି ଟଙ୍କା ବ୍ୟୟରେ ଏକ ନ୍ୟାଚୁରାଲ୍‌ ଗ୍ୟାସ୍‌ ଟର୍ମିନାଲ ପ୍ଲାଣ୍ଟ୍‌ ପ୍ରସ୍ତୁତ ହୋଇଥାନ୍ତା । ଅଲ୍‌ଟ୍ରେଡ୍‌ ଆଇରନ୍‌ ଓ ପାୱାର ଲିମିଟେଡ୍‌ କମ୍ପାନି ୬୦୦ କୋଟି ଟଙ୍କା ବିନିମୟରେ ଏକ କାରଖାନା କରିବ ବୋଲି ଘୋଷଣା କରିଥିଲା । ଗାଲ୍‌ଭିନ୍‌ ମେରାଇନ୍‌ ନାମକ ଏକ କମ୍ପାନି ୩୦୦୦ କୋଟି ଟଙ୍କା ବ୍ୟୟରେ ଭଙ୍ଗା ଜାହାଜର ମରାମତି ପ୍ଲାଣ୍ଟ୍‌ ବସାଇବ ବୋଲି କହିଥିଲା । ଏସବୁ ପ୍ରକଳ୍ପ ଘୋଷଣା, ପ୍ରସ୍ତାବ ଏବଂ ଏମ୍‌ଓୟୁରେ ଅଟକି ଯାଇଛି । 

ଏହା ସହିତ ୧୦୦ କୋଟି ସମ୍ପତ୍ତି ବିଶିଷ୍ଟ ୨୦ରୁ ଅଧିକ ଶିଳ୍ପପତି ଧାମରାରେ ଜମି କିଣି ବସିଛନ୍ତି ପ୍ଲାଣ୍ଟ୍‌ ପ୍ରସ୍ତୁତ କରିବାକୁ । କିନ୍ତୁ ସବୁ ସ୍ୱପ୍ନ ହୋଇ ରହିଯାଇଛି । ଧାମରା ଅଞ୍ଚଳରେ ଜମି ଏବେ ଡିସିମିଲ ୭ ଲକ୍ଷ ଟଙ୍କା । ଯାହାକି ଏକରକୁ ୭ କୋଟି ମୂଲ୍ୟ ଧରିଲାଣି । ଏହା ମଧ୍ୟରେ ଶିଳ୍ପ ପାର୍କ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇ ଅଧାରେ ରହିଛି । ସେପଟେ ଶିଳ୍ପପତିଙ୍କ ସମୟ ଅଭାବରୁ ସେମାନେ ସିଧାସଳଖ ଭୁବନେଶ୍ୱର ବିମାନଘାଟିରୁ ଧାମରାକୁ ଛୋଟ ବିମାନରେ ଯିବା ପାଇଁ ଚାହୁଁଛନ୍ତି । ଏଥିଲାଗି ୭୦୦ କୋଟି ଟଙ୍କା ବିନିମୟରେ ୫୦୦ ଏକର ଜାଗାରେ ବାଲିମୁଣ୍ଡାରେ ଧାମରା ବିମାନଘାଟି ନିର୍ମାଣ ହେବାକୁ ଯାଉଛି । ଆଦାନୀ କମ୍ପାନିକୁ ଏହାର କାର୍ଯ୍ୟାଦେଶ ମିଳିଛି । ହେଲେ ଏହା ବି ଜମି ଅଧିଗ୍ରହଣରେ ଅଟକିଛି । ଧାମରାର ମୂଲ୍ୟବାନ ଜମି ଶିଳ୍ପପତିଙ୍କ ହାତକୁ ଟେକି ଦିଆଯାଇଥିବାବେଳେ ଶିଳ୍ପାୟନ ଲକ୍ଷ୍ୟ ବାଟହୁଡ଼ିଛି । ନୂଆ ସରକାର ନୂଆ ଯୋଜନା ନେଇ ଏହାକୁ ତ୍ୱରାନ୍ୱିତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.