ମାଲକାନଗିରି/କୋରକୁଣ୍ଡା, ୧୦/୧୦ : ମାଲକାନଗିରି ଜିଲ୍ଲା ଓରକେଲ ଥାନା ପୁଲିସ ଦ୍ବାରା କୋର୍ଟ ଆଦେଶକୁ ଅବମାନନା କରିଥିବା ଜଣେ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଓରକେଲ ଥାନା ଅନ୍ତର୍ଗତ କଣ୍ଡେଲଗୁଡା ଗ୍ରାମର ରେଲି ଖେମୁଣ୍ଡୁ ନାମକ ବ୍ୟକ୍ତି ଗତ ୨୦୨୨ ମସିହା ଅଗଷ୍ଟ ମାସରେ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଓରକେଲ ପୋଲିସ ଦ୍ବାରା ଗିରଫ ହେବା ପରେ କୋର୍ଟ ହାଜତକୁ ପଠାଯାଇଥିଲା।
ସେ ୧ ବର୍ଷରୁ ଊର୍ଦ୍ଧ୍ବ ଧରି ଜେଲ ସଜା କାଟିବା ପରେ ଜାମିନରେ ବାହାରକୁ ଆସିଥିଲେ। ଏହାପରେ ସେ କୋର୍ଟର ଧାର୍ଯ୍ୟ ତାରିଖରେ ଉପସ୍ଥିତ ନ ରହି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ପରେ ତାଙ୍କ ନାମରେ ଏକ ୱାରେଣ୍ଟ କୋର୍ଟ ପକ୍ଷରୁ ଜାରି କରାଯାଇଥିଲା । କୋର୍ଟ ଓ୍ବାରେଣ୍ଟକୁ ଭିତ୍ତ କରି ଓରକେଲ ପୋଲିସ ରେଲିକୁ ଖୋଜାଖୋଜି ଆରମ୍ଭ କରିଥିବାବେଳେ ବର୍ତ୍ତମାନ ଦୁର୍ଗା ପୂଜା ହେତୁ ରେଲି ନିଜ ଗ୍ରାମକୁ ଆସିଥିବାବେଳେ ପୋଲିସ ଖବର ପାଇ ତାକୁ ଜବାଗଡ଼ ହାଟରୁ ଗିରଫ କରିବା ସହ ଆଜି ରେଲିକୁ ଓରକେଲ ଥାନା ପୁଲିସ କୋର୍ଟ ଚାଲାଣ କରିଛି।