ବ୍ରହ୍ମପୁର, ୨୪/୧୦ : ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ମାର୍କଣ୍ଡି, ରାମେୟାପାଟଣା, ପୋଡ଼ମପେଟା, ଖଲିକୋଟ - ରମ୍ଭା ନିକଟ ଚିଲିକାକୂଳ, ଗୋପାଳପୁର ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି ।
କାହାର ଯେମିତି ଅସୁବିଧା ହେବ ନାହିଁ ସରକାର ପୁରା ସଜାଗ ଥିବା ମନ୍ତ୍ରୀ କହିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୧୧୦ଟି ପଞ୍ଚାୟତର ୩୮୭ଗ୍ରାମ ସମ୍ଭାବ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହେବା ଆଶଙ୍କା ନେଇ ଆକଳନ କରିଛି ଜିଲ୍ଲା ପ୍ରଶାସନ । ୨୪୨୫୯ଲୋକଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଥିବାବେଳେ ୧୧୦ଟି ବାତ୍ୟା ଆଶ୍ରୟ ସ୍ଥଳ ସମେତ ୧୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି ।
୪୩୧୮ଜଣ ଶିଶୁଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୪୨୦ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ୧୪୦ଜଣ ମହିଳା ପ୍ରସବ କରିଥିବା ସୂଚନା ଦେଇଛନ୍ତି । ୫୪ଜଣ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୨୭୨ଟି ସ୍ଥାନରେ ଫ୍ରି ରୋଷେଇ ଚାଲିଥିବା କୁହାଯାଇଛି । ୬୨ଟି ସ୍ୱାସ୍ଥ୍ୟ ଟିମକୁ ସଜାଗ କରାଯାଇ ପ୍ରସ୍ତୁତ ରଖାଯାଇଛି । ପିଇବା ପାଣି ସହ ଅନ୍ୟାନ୍ୟ ସୁବ୍ୟବସ୍ଥିତ କରାଯାଇଥିବା କୁହା ଯାଇଛି ।