ମାଲକାନଗିରି,୨/୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ନୂଆ ବର୍ଷ ଅବସରରେ ଯବାନଙ୍କୁ ମିଳିଛି ବଡ ସଫଳତା । ମାଓବାଦୀ ଖଞ୍ଜିଥିବା ୮ ଟି ଆଇଡି ବୋମାକୁ ପୃଥକ ପୃଥକ ସ୍ଥାନରୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ଯବାନ। ସୂଚନା ଅନୁଯାୟୀ ମାଓ ଦମନ ଲାଗି ଛତିଶଗଡର ବାସାଗୁଡ଼ା ଥାନା ଅନ୍ତର୍ଗତ ତିମାପୁର ଅଞ୍ଚଳରେ କୋବରା ଯବାନମାନେ ତଲାସି ଅଭିଯାନ କରୁଥିଲେ ।
ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୬ଟି ଆଇଡି ବୋମାକୁ ଯବାନମାନେ ଠାବ କରିଥିଲେ। ଯାହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଯବାନମାନେ ଘଟଣାସ୍ଥଳରେ ହିଁ ସେଗୁଡିକୁ ନିଷ୍କ୍ରିୟ କରିଥିଲେ। ସେହିପରି ତାରିମ ଜଙ୍ଗଲରେ ମଧ୍ୟ ଯବାନମାନେ ତଲାସି ବେଳେ ବନ୍ଦଲକା ନାଳ ନିକଟରେ ୩କେଜି ଲେଖାଏଁ ଓଜନର ୨ଟି ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ଏହାପରେ ଯବାନଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଅଧିକ ବଢାଇ ଦିଆଯାଇଛି । ତେବେ ନୂଆ ବର୍ଷ ଆରମ୍ଭରୁ ଯବାନମାନେ ମାଓବାଦୀଙ୍କ ବଡ଼ ଧରଣର ଯୋଜନାକୁ ପଣ୍ଡ କରି ବଡ଼ ସଫଳତା ହାସଲ କରିଛନ୍ତି।