ମୁମ୍ବାଇ ୧୦/୦୧: ଅଜୟ ଦେବଗନ ବଲିଉଡର ସବୁଠୁ ଦମ୍ଦାର ପୋଲିସ ଅଫିସର ସିଂଘମ୍ ନାମରେ ଜଣାଶୁଣା । ସିଂଘମ୍ ଏଭଳି ଜଣେ ପୋଲିସ ଅଫିସର, ଯାହାର ଗର୍ଜନ ବଦମାସ ଲୋକଙ୍କ ପିଳେହି ପାଣି କରିଦେବା ପାଇଁ ଯଥେଷ୍ଟ । ସିଂଘମ୍ ସିରିଜର ଏକାଧିକ ଚଳଚ୍ଚିତ୍ର ସିନେପ୍ରେମୀଙ୍କ ମନକୁ ଛୁଇଁଛି । ‘ସିଂଘମ୍ ଏଗେନ୍’ରେ ଅଜୟ ଦେବଗନଙ୍କ ସହିତ ପୋଲିସ ଅଫିସର ବାହିନୀ ଥିଲେ, କିନ୍ତୁ ଫିଲ୍ମ ଏତେ ଭଲ ଚାଲିଲାନି । ଏବେ ସିନେଶିଳ୍ପରେ ଆଲୋଚନା ଚାଲିଛି, ସିଂଘମ୍ଙ୍କୁ ରିଟାୟାର୍ଡ କରିଦେବାକୁ ଆସୁଛନ୍ତି ଦେବା । ଆମେ କହୁଛୁ ସାହିଦ କପୁରଙ୍କ କଥା, ଯାହାଙ୍କ ପରବର୍ତ୍ତୀ ଫିଲ୍ମ ‘ଦେବା’ର ଟିଜର ରିଲିଜ ହୋଇଛି । ଏହି ଟିଜରରେ ସାହିଦ ଯେଉଁ ଅବତାରରେ ନଜର ଆସିଛନ୍ତି, ପୂର୍ବରୁ କେବେ ସେଭଳି ଲୁକ୍ରେ ଦେଖିବାକୁ ମିଳିନାହାନ୍ତି ।
ସାହିଦ ବର୍ତ୍ତମାନ ହିନ୍ଦୀ ସିନେଶିଳ୍ପର ନୂଆ ଆଙ୍ଗ୍ରି ୟଙ୍ଗମ୍ୟାନ ଓ ସେ ସିଂଘମ୍ ଅଜୟ ଦେବଗନଙ୍କୁ ରିଟାୟାର କରିଦେବେ, ଏପରିକି ଦର୍ଶକ ଆଉ ଅଜୟଙ୍କ ପାଇଁ ନୁହେଁ, ବରଂ ସାହିଦଙ୍କ ପାଇଁ ହ୍ୱିସିଲ୍ ବଜାଇବେ ବୋଲି ଆଲୋଚନା ହେଉଛି । ଟିଜରରେ ହାଇ-ଅକ୍ଟେନ ଆକ୍ସନ ସିକ୍ୱେନ୍ସର ପ୍ରତିଶ୍ରୁତି ଦିଆଯାଇଛି, ଯାହା କେବଳ ଦେଖିବାକୁ ସୁନ୍ଦର ନୁହେଁ, ବରଂ ଭାବନାତ୍ମକ ଭାବରେ ମଧ୍ୟ ଜଡ଼ିତ । ‘ଦେବା’ରେ ସାହିଦ କପୁରଙ୍କ ସୁନ୍ଦର ଅଭିନୟ ଓ ଆକ୍ସନ ବ୍ୟତୀତ ତାଙ୍କର ନୃତ୍ୟ ଦକ୍ଷତା ମଧ୍ୟ ଟିଜରରେ ଦେଖିବାକୁ ମିଳିଛି । ରୋଷନ ଆଣ୍ଡ୍ର୍ୟୁଜ ‘ଦେବା’ର ନିର୍ଦ୍ଦେଶନା ଦେଇଛନ୍ତି । ଜାନୁଆରୀ ୩୧ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ଦେବା’ ।