ଦଶମନ୍ତପୁର, ୨/୭ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଆଜି ପୂର୍ବାହ୍ନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଏଥିରେ ବିଭିନ୍ନ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ପିଏଚଡି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜବାନ ନଦୀର ଅସ୍ଥାୟୀ ପୋଲ ଧୋଇ ଯାଇଥିବା ଦେଖିବାକୁ ମିଳିଛି । ଏଥିରେ ବ୍ଲକ କାର୍ଯ୍ୟାଳୟ ସହ ୫ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି।
ଏହି ରାସ୍ତା ଦଶମନ୍ତପୁର ବ୍ଲକର ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତା ଗୋଟିଏ ପଟେ ଦଶମନ୍ତପୁର ସଦର ମହକୁମାଠାରୁ କୋରାପୁଟ ଜିଲ୍ଲା ସଦରମହକୁମାକୁ ସଂଯୋଗ କରିଥିବାବେଳେ ଅନ୍ୟ ପଟେ ଦଶମନ୍ତପୁରଠାରୁ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକକୁ ସଂଯୋଗ କରୁଛି । ପ୍ରତିଦିନ ଏହି ରାସ୍ତା ଉପରେ ସରକାରୀ ଓ ବେସରକାରୀ ବସ୍ ଠାରୁ ଆରମ୍ଭ କରି ଶତାଧିକ ଯାନବାହାନ ଯାତାୟାତ କରୁଛି । ବଡ଼ କଥା ହେଲା ଦଶମନ୍ତପୁର ସଦର ପଞ୍ଚାୟତର ୮ ଖଣ୍ଡ ଗ୍ରାମ ସହିତ, ବ୍ଲକ କଲୋନୀ ଏବଂ ପଞ୍ଚାୟତ ତଥା ମୁର୍କାର, ଗିର୍ଲି ଗୁମା, ଡୁମ୍ବା ଗୁଡା ଓ ଦୁଆର ଶୁଣି, ଚିକାମ୍ବ ପଞ୍ଚାୟତର ଲୋକ ଯାତାୟତରେ ପ୍ରଭାବିତ ହେବେ।
ତୁରନ୍ତ ଡାଇଭର୍ସନ ରାସ୍ତା ନିର୍ମାଣ କରା ନ ଯାଏ ତେବେ ଅଞ୍ଚଳବାସୀ ଗମନାଗମନଠାରୁ ଆରମ୍ଭ କରି ଶିକ୍ଷା ସ୍ବାସ୍ଥ୍ୟ, ଥାନା, ତହସିଲ ସେବାରେ ବାଧା ସୃଷ୍ଟି ହୋଇଛି । ଏହି ରାସ୍ତାକୁ ବାଦ୍ ଦେଲେ ଆଉ ଜିଲ୍ଲା ସଦରମହକୁମାକୁ ଯିବା ଲାଗି କୌଣସି ସୁବିଧା ନାହିଁ। ମାତ୍ର ଗୋଟିଏ ରାସ୍ତା ଅଛି, ଯାହା କି ଲକ୍ଷ୍ମୀପୁର ପାଖ ତୟା ପୁଟ ରାସ୍ତା ଦେଇ କୋରାପୁଟ ଯିବାକୁ ପଡିବ। ରୋଗୀ ଗର୍ଭବତୀ ଡାକ୍ତରଖାନା ଯିବେ କେମିତି। ବର୍ତ୍ତମାନ ଅଞ୍ଚଳରେ ଅନେକ ଗର୍ଭବତୀ, ଓ ଗୁରୁତର ରୋଗୀମାନେ ଗାଁରେ ପଡ଼ି ରହିଛନ୍ତି । ବର୍ତ୍ତମାନ ରୋଗୀମାନେ କେଉଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯିବେ, ତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଚିନ୍ତା ଘାରିଛି। ଅନ୍ୟପଟେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଠିକାଦାର କେତନ ବିଶୋଇଙ୍କୁ ଯୋଗାଯୋଗ କରିଥିଲୁ। ତେବେ ବର୍ଷା କମିବା ସାଙ୍ଗେ ସାଙ୍ଗେ, ପୁଣି ଥରେ, ଯାତାୟାତ ପାଇଁ, ଡାଇଭର୍ସନ ରାସ୍ତା ତିଆରି କରି ଦେବୁ। ବର୍ତ୍ତମାନ ଜେସିବି ଟ୍ରାକ୍ଟର ପ୍ରସ୍ତୁତି ରାଖାଯାଇଛି ବୋଲି କହିଛନ୍ତି। ତଥାପି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।