ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜନସଂଖ୍ୟା ବଢାଇବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଦାବି ମଧ୍ୟରେ ଦଳର ଜଣେ ସାଂସଦ ଏକ ବଡ଼ ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଲୋକସଭା ଆସନର ଟିଡିପି ସାଂସଦ କାଲିସେଟ୍ଟି ଆପାଲା ନାଇଡୁ ଘୋଷଣା କରିଛନ୍ତି ଯେ,'ତୃତୀୟ ସନ୍ତାନ ଜନ୍ମ କରୁଥିବା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ। ଏହା ସହିତ, ସେ ପ୍ରସ୍ତାବ ଦେଇଛନ୍ତି ଯେ, 'ଯେଉଁ ମହିଳା ପୁଅ ଜନ୍ମ କରିବେ, ତାଙ୍କୁ ମଧ୍ୟ ଏକ ଗାଈ ଉପହାର ଦିଆଯିବ।'
ଟିଡିପି ସାଂସଦ କହିଛନ୍ତି ଯେ, ସେ ତାଙ୍କ ଦରମାରୁ ମହିଳା ମାନଙ୍କୁ ଏହି ନଗଦ ପୁରସ୍କାର ଦେବେ। ଆପଲା ନାଇଡୁଙ୍କ ଏହି ବୟାନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଟିଡିପି ନେତା ଏବଂ କର୍ମୀ ମାନେ ନାଇଡୁଙ୍କ ଏହି ଭିଡିଓକୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି।
ଟିଡିପି ନେତାମାନଙ୍କ ମତରେ, ନାଇଡୁଙ୍କ ଏହି ବକ୍ତବ୍ୟ ଆନ୍ଧ୍ରପ୍ରଦେଶର ଜନସଂଖ୍ୟା ବୃଦ୍ଧିରେ ଏକ ବଡ଼ କ୍ରାନ୍ତିକାରୀ ପଦକ୍ଷେପ ପ୍ରମାଣିତ ହେବ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ମଧ୍ୟ ତାଙ୍କ ସାଂସଦଙ୍କ ବକ୍ତବ୍ୟକୁ ପ୍ରଶଂସା କରିଛନ୍ତି। ଟିଡିପି ସାଂସଦ କାଲିସେଟ୍ଟି ଆପାଲା ନାଇଡୁ ଅନ୍ତର୍ଜାତୀୟ ମହିଳା ଦିବସରେ ବିଜୟନଗରମର ରାଜୀବ ସ୍ପୋର୍ଟ୍ସ କମ୍ପାଉଣ୍ଡରେ ଆୟୋଜିତ ଏକ ସଭାରେ ଏହି ଘୋଷଣା କରିଛନ୍ତି।
ସମ୍ପ୍ରତି ଦିଲ୍ଲୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦକ୍ଷିଣ ଭାରତରେ ଜନସଂଖ୍ୟା ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ ବୟସ୍କ ଜନସଂଖ୍ୟା ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜ ଗୁଡ଼ିକ ଉଲ୍ଲେଖ କରିଥିଲେ। ନାଇଡୁ କହିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଯୁବ ଜନସଂଖ୍ୟା ରହିଛି। ସେ ଜନସଂଖ୍ୟା ନିୟନ୍ତ୍ରଣ ଅପେକ୍ଷା ଦୀର୍ଘକାଳୀନ ଜନସଂଖ୍ୟାଗତ ପରିଚାଳନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।