ବ୍ରହ୍ମପୁର, ୨୮/୪ : ଦେହରେ ଆର୍ମି ପୋଷାକ, ମୁଣ୍ଡରେ ଟୋପି। ପାଖରେ ଅଛି ନକଲି ଆଇଡି କାର୍ଡ। କେହି ପଚାରିଲେ କହୁଛନ୍ତି ୱାଘା ବର୍ଡରରୁ ଆସିଛି। ବ୍ରହ୍ମପୁର ଗାନ୍ଧୀ ନଗର ଛକରୁ ଏପରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ। ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦିଆଯାଇଛି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରଥମିକ ତଦନ୍ତରୁ ସେ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ସୋମବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଆର୍ମି ପୋଷାକ ପିନ୍ଧି ଗାନ୍ଧୀ ନଗର ଛକରେ ବୁଲୁଥିଲେ। କେହି କିଛି ପଚାରିବାକୁ ଗଲେ, ତାଙ୍କୁ ବାଡେଇବାକୁ ଗୋଡାଉଥିଲା। କିଛି ଯୁବକ ତାଙ୍କୁ ପଚାରିବାରୁ ସେ ଗୁଜରାଟ ପୁଲିସ ଲୋଗୋ ଥିବା ଏକ ନକଲି କାର୍ଡ ଦେଖାଇଥିଲେ। ଏହାପରେ ପାକିସ୍ତାନୀ ସନ୍ଦେହରେ ଯୁବକମାନେ ତାଙ୍କୁ ଆଣି ଥାନାରେ ଜିମା ଦେଇଥିଲେ। ପ୍ରମେୟ ପ୍ରତିନିଧି ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ ନିଜ ନାମ ରାଜୁ ସନ୍ତ୍ରା ବୋଲି କହିଥିଲେ। ଏହା ସହ ସେ ୱାଘା ବର୍ଡରରୁ ଆସିଛନ୍ତି ବୋଲି କହିଥିଲେ। କେବଳ ସେତିକି ନୁହେଁ ତାଙ୍କ ପାଖରେ ଥିବା କାଗଜପତ୍ର ଗୁଜୁରାଟ ପୁଲିସ ନେଇ ନିକଟରେ ଥିବା ଆଇ କାର୍ଡ ଦେଇଥିବା କଥା କହିଥିଲେ।
ରାଜୁ ଗୁଜରାଟରୁ ମେଳାରେ ମିଶି ବ୍ରହ୍ମପୁର ଆସିଥିବା କଥା କହିଛନ୍ତି। ଗତ ଗୁଡ ଫ୍ରାଇଡେରୁ ସେ ବ୍ରହ୍ମପୁରରେ ରହି ଆସୁଛନ୍ତି। ଗାନ୍ଧୀ ପାର୍କ ସମ୍ମୁଖରେ ଥିବା ଡିଭାଇଡର୍ ଉପରେ ଶୋଇ ରାତି କାଟୁଛନ୍ତି। ତାଙ୍କ ନିକଟରେ କିଛି ସିକ୍ୟୁରିଟି କର୍ମଚାରୀ ସୁନା ଦୋକାନ ଜଗୁଥିବା ସେ କହିଛନ୍ତି। ଅନ୍ୟପଟେ ରାଜୁଙ୍କ ନିକଟରେ ଥିବା ଦୁଇଟି ବ୍ୟାଗରୁ ବିଭିନ୍ନ ଜିନିଷ ଚୋରାଇ ନେବାକୁ ୩ ଯୁବକ ଆସିଥିଲେ। ବିରୋଧ କରିବାରୁ ରାଜୁଙ୍କୁ ଥାନାରେ ଦେଇ ଚାଲିଗଲେ ବୋଲି ସେ କହିଛନ୍ତି।