ଭୁବନେଶ୍ଵର, ୨୮/୦୪ : ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆପଡା ଦାସ ସାହି ଗାଁରେ ଅଘଟଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଙ୍ଘର୍ଷ। ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର। ଉଭୟ ପକ୍ଷରୁ ୫ ଗୁରୁତର ୪ ଆହତ। ରବିବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ସମସ୍ତ ଆହତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଦାସ ସାହି ଗାଁର ମଧୁ ଦାସ, ପ୍ରମୋଦ ଦାସ ଓ ବିଦ୍ୟାଧର ଦାସଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ରବିବାର ସନ୍ଧ୍ୟାରେ କଥା କଟାକଟିକୁ ନେଇ ଉଭୟ ପରିବାରର ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ବିଳମ୍ବିତ ରାତିରେ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ। ୩ ପରିବାରର ମହିଳା ଓ ପୁରୁଷମାନେ ହାତରେ ଖଣ୍ଡା, ଭୁଜାଲି ଓ ପନିକି ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଏପରିକି ଟେକା ପଥର ମାଡ଼ ବି କରିଥିଲେ। ଏହି ଗୋଷ୍ଠୀ ସଙ୍ଘର୍ଷରେ ଉଭୟ ପରିବାରରୁ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଛଡାଇବାକୁ ଯାଇ କିଛି ଗ୍ରାମବାସୀ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ଗୋଟିଏ ପରିବାର ପକ୍ଷରୁ ଥାନାରେ ଏତଲା ହୋଇଥିବା ବେଳେ ଆଉ କେହି ଏତଲା ଦେଇନାହାଁନ୍ତି।