ପୁରୀ, ୨୮।୪ : ଆସନ୍ତା ବୁଧବାର ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସହ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଡଙ୍ଗା ନନ୍ଦା ଓ ଭଦ୍ରାକୁ ପ୍ରସ୍ତୁତ କରାଯାଉଛି। ତେବେ ଚନ୍ଦନ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଚନ୍ଦନ ଚାପକୁ ଶୃଙ୍ଖଳିତ କରିବା ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ପାଞ୍ଚଜଣ ଡିଏସପି, ୮ ଇନ୍ସପେକ୍ଟରଙ୍କ ସମେତ ୨୦ ସବ ଇନ୍ସପେକ୍ଟର ଦାୟିତ୍ବରେ ରହିବେ।
ତେବେ ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଚଳିତ ବର୍ଷ ଆତସବାଜି କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କୌଣସି ବ୍ୟକ୍ତି ବିଶେଷ ଆତସବାଜି ପ୍ରଦର୍ଶନ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ସେହିପରି ଚନ୍ଦନ ଚକଡା଼ ଠାରେ ଭକ୍ତଙ୍କ ପାଇଁ ଏକ ସହାୟତା କେନ୍ଦ୍ର ପୋଲିସ ପକ୍ଷରୁ ଖୋଲାଯିବ। ଟ୍ରାଫିକ ସୁପରିଚାଳନା କୁ ମଧ୍ୟ ଗୁରୁତ୍ୱ ଦେଇଛି ପୋଲିସ ପ୍ରଶାସନ। ତେବେ ଚନ୍ଦନଯାତ୍ରା ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ସ୍ବତନ୍ତ୍ର ବିମାନ ରେ ଆସି ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ। ସେପଟେ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବାକୁ ଥିବାରୁ ରଥଖଳା ଠାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ବିନୀତ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି।