ନୂଆଦିଲ୍ଲୀ ୨୦/୦୫: ବିଶ୍ୱ କ୍ରିକେଟ୍ରେ ବିରାଟ କୋହଲି ଜଣେ ଶ୍ରେଷ୍ଠ ଖେଳାଳି । ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା ।
ସେ କହିଛନ୍ତି,‘ ଭାରତୀୟ କ୍ରିକେଟ୍ ପ୍ରତି କୋହଲିଙ୍କ ଅବଦାନ ଅତୁଳନୀୟ । ତେଣୁ ମୋ ମତରେ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନରେ ଭୂଷିତ କରିବା ଉଚିତ ।’ କ୍ରୀଡ଼ା କ୍ଷେତ୍ରରେ କେବଳ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର ହିଁ ଭାରତରତ୍ନ ପାଇଛନ୍ତି । ୨୦୧୪ରେ ମାତ୍ର ୪୦ ବର୍ଷ ବୟସରେ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନରେ ଭୂଷିତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସଚିନ ଥିଲେ ସର୍ବକନିଷ୍ଠ ।
ରାଇନା ଆହୁରି ମଧ୍ୟ କହିଛନ୍ତି, ‘କୋହଲିଙ୍କ ପାଇଁ ତାଙ୍କ ଘରୋଇ ଷ୍ଟାଡିୟମ ଦିଲ୍ଲୀରେ ଏକ ବିଦାୟୀ ମ୍ୟାଚ୍ ଖେଳିବାର ଆୟୋଜନ କରାଯାଉ । ଯେଉଁଠି ତାଙ୍କ ପରିବାର ସଦସ୍ୟ ଓ କୋଚ୍ ଉପସ୍ଥିତ ରହି ଉତ୍ସାହିତ କରିବେ । ଜଣେ ଖେଳାଳି କ୍ରିକେଟ ପାଇଁ ଏତେ କଲା ପରେ ବିଦାୟୀ ମ୍ୟାଚ୍ ଖେଳିବାକୁ ହକ୍ଦାର ।’