ନୂଆଦିଲ୍ଲୀ,୧୬।୭: ସୁପ୍ରିମକୋର୍ଟରେ ପରିବର୍ତ୍ତନର ଏକ ଉଦାହରଣ ଗୋଟିଏ ବର୍ଷ ମଧ୍ୟ ତିଷ୍ଠି ପାରିନାହିଁ। ତତ୍କାଳୀନ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ ବିଲ୍ହିଂରେ ଯେଉଁ କାଚ ପ୍ୟାନେଲ ନିର୍ମାଣ କରିଥିଲେ ତାହା ଗୋଟିଏ ବର୍ଷ ମଧ୍ୟରେ ହଟାଇ ଦିଆଯାଇଛି। ଏହାକୁ ଲଗାଇବା ଓ କାଢିବାରେ ପ୍ରାୟ ୨.୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଛି। ଅଶୋକ କୁମାର ଉପାଧ୍ୟୟ ନାମକ ଜଣେ ସାମ୍ବାଦିକଙ୍କ ଆରଟିଆଇ ଆବେଦନ ପରେ ସୂଚନା ମିଳିଛି।
ନଭେମ୍ବର ୨୦୨୨ରେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିବା ତତ୍କାଳୀନ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟ ପରିସରକୁ ଆଧୁନିକ କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ। ତାହା ଭିତରୁ ଗୋଟିଏ ଥିଲା ସୁପ୍ରିମକୋର୍ଟର ପ୍ରଥମ ୫ଟି ଅଦାଲତ ବାହାରେ ଥିବା ଐତିହାସିକ କରିଡରରେ କାଚର ପ୍ୟାନେଲ ଲଗାଇଥିଲେ। ଏହି କାଚ ପ୍ୟାନେଲ ଲଗାଇବା ପଛରେ ଚନ୍ଦ୍ରଚୂଡ କହିଥିଲେ, ଏହାଦ୍ବାରା ସେଣ୍ଟ୍ରାଲାଇଜ୍ ଏୟାର କଣ୍ଡିସନିଂରେ ସାହାଯ୍ୟ ମିଳିବ। ଫଳରେ ଏହା ପରିସର ଅଧିକ ଆରାମଦାୟକ ହୋଇପାରିବ। କିନ୍ତୁ ଓକିଲ ସଂସ୍ଥା, ସୁପ୍ରିମକୋର୍ଟ ବାର ଆସୋସିଏସନ୍ ଓ ସୁପ୍ରିମକୋର୍ଟ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ୍ ଏହାର ବିରୋଧ କରିଥିଲେ। ବାର ସଂଘ ଅଭିଯୋଗ କରିଥିଲା ଯେ, କାଚ ପ୍ୟାନେଲ କରିଡରର ଚଉଡା କମ୍ କରିଦେଉଛି। ଯାହାଫଳରେ ଗୋଟିଏ କୋର୍ଟ ଆଉ ଏକ କୋର୍ଟ ପର୍ଯ୍ୟନ୍ତ ପହଁଞ୍ଚିବା କଷ୍ଟକର ହୋଇଯାଇଛି।
ଜଷ୍ଟିସ୍ ଚନ୍ଦ୍ରଚୂଡ ଅବସର ନେବାରେ ସଂଘ ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କୁ ଔପଚାରିକ ଭାବରେ କାଚ କାନ୍ଥ ହଟାଇବାର ଦାବି କରାଯାଇଥିଲା। ତେବେ ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନଥିଲା, କିନ୍ତୁ ଜଷ୍ଟିସ୍ ଗଭଇ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ କାଚ କାନ୍ଥ ହଟାଇ ଦେଇଛନ୍ତି। ଜୁନ୍ ୨୦୨୫ ରେ ଫୁଲ୍ କୋର୍ଟ (ସୁପ୍ରିମକୋର୍ଟଙ୍କ ସମସ୍ତ ବିଚାରପତିଙ୍କ ସାମୁହିକ ବୈଠକ)ରେ ସର୍ବ ସମ୍ମତିରେ ନିଷ୍ପତ୍ତି ନେଇଥିଲେ ଯେ, କାଚର ପ୍ୟାନେଲ ହଟାଇ ଦିଆଯାଉ। ଏବେ କାଚ ପ୍ୟାନେଲକୁ ହଟାଯାଇ କରିଡରକୁ ପୂର୍ବଭଳି ଖୋଲା ରଖି ଦିଆଯାଇଛି। ଆରଟିଆଇରୁ ମିଳିଥିବା ସୂଚନା ଅନୁସାରେ, ଏହି କାଚ ପ୍ୟାନେଲ ଲଗାଇବା ପାଇଁ ମୋଟ ୨,୫୯,୭୯,୨୩୦ (ପ୍ରାୟ ୨.୬ କୋଟି ଟଙ୍କା) ଖର୍ଚ୍ଚ ହୋଇଥିଲା। ତେବେ କାଚ ପ୍ୟାନେଲକୁ ହଟାଇବାରେ ୮,୬୩,୭୦୦ ଆସିଥିଲା। ଏଭଳି ଭାବରେ ଆବଶ୍ୟକତା ନଥାଇ ମଧ୍ୟ ୨.୬୮ କୋଟି ଟଙ୍କା ବର୍ଷରେ ଖର୍ଚ୍ଚ ହୋଇଗଲା ।