ନୂଆଦିଲ୍ଲୀ,୯।୧୧: ମହାକାଶରେ ଜୁନ୍ରୁ ଫଶିଥିବା ନାସାର ମହାକାଶଚାରୀ ସୁନିତା ଓ୍ବିଲିୟମ୍ସଙ୍କ ନୂଆ ଫଟୋ ବଢାଇଲା ଚିନ୍ତା। ଫଟୋରେ ଦେଖିବାକୁ ମିଳୁଛି ତାଙ୍କର ଓଜନ ଖୁବ୍ କମ୍ ହୋଇଯାଇଛି। ଏହି ଫଟୋ ଫଟୋ ଦେଖିବା ପରେ ନାସା ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହିଛି। ସେଠାର ଜଣେ କର୍ମଚାରୀ କହିଛନ୍ତି, ସୁନିତାଙ୍କ ଫଟୋ ଆମେ ଚକିତ ହୋଇଯାଇଥିଲୁ। ଏବେ ତାଙ୍କର ସ୍ବାସ୍ଥ୍ୟ ଉପରେ ମନିଟର କରୁଛୁ। ସୁନିତା ଓ ଓ୍ବିଲମୋର ବଚ୍ ଜୁନ୍ ପ୍ରଥମ ସପ୍ତାହରେ ୮ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ଯାଇଥିଲେ, କିନ୍ତୁ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁହେଁ ୧୫୦ ଦିନରୁ ଅଧିକ ହେବ ସେଠାରେ ଫଶି ରହିଛନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ଦୁହେଁ ପୃଥିବୀକୁ ଫେରିବାର ଚର୍ଚ୍ଚା ହେଉଛି।
ସୁନିତା ଖରାପ ସ୍ବାସ୍ଥ୍ୟବସ୍ଥା ଉପରେ ନାସା ବୈଜ୍ଞାନିକ ନଜର ରଖିଛନ୍ତି। ନାସାର ବୈଜ୍ଞାନିକ କହିଛନ୍ତି, ସୁନିତାଙ୍କ ଓଜନ ଖୁବ୍ କମ୍ ହୋଇଛି, ଏପରିକି ତାଙ୍କ ଗାଲରେ ମାଂସ ବଦଳରେ କେବଳ ହାଡ ଦେଖାଯାଉଛି। ଏବେ କେବଳ ସେ ହାଡ଼ ଉପରେ ପତଳା ଚମଡାର ଏକ ଢାଞ୍ଚା ଭଳି ଦେଖାଯାଉଛନ୍ତି। ଏବେ ତାଙ୍କର ଓଜନ କିପରି ବଢିବ ସେ ନେଇ ପ୍ରାଧାନ୍ୟ ଦେଉଛୁ, ଆଶା କରୁଛୁ ସ୍ଥିତି ପରିବର୍ତ୍ତନ ହେବ।’
ଉଲ୍ଲେଖନୀୟ ଯେ, ସୁନିତା ମହାକାଶ ଯାତ୍ରା ଆମ୍ଭ କରିବା ପୂର୍ବରୁ ତାଙ୍କ ଓଜନର ୧୪୦ ପାଉଣ୍ଡ ଥିଲା। କିନ୍ତୁ ଯାତ୍ରା ଯେତେ ଅଧିକ ଦିନ ବଢିଲା ତାଙ୍କୁ ନିଜ ବଜାୟ ରଖିବା ପାଇଁ ଆବଶ୍ୟକୀୟ ହାଇ କ୍ୟାଲୋରିର ସେବନ ପୁରା କରିବାକୁ ସଂଘର୍ଷ କରିବାକୁ ପଡିଥିଲା। ତାଙ୍କୁ ବର୍ତ୍ତମାନ ନିଜର ଓଜନ ବଜାୟ ରଖିବା ପାଇଁ ପ୍ରତିଦିନ ପ୍ରାୟ ୩,୫୦୦ ରୁ ୪୦୦୦ କ୍ୟାଲୋରୀ ଖାଇବାକୁ ପଡୁଛି।ତଥାପି ମଧ୍ୟ ସୁନିତାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଛି।ହାଡ ଏବଂ ମାଂସପେଶୀକୁ ମଜବୁତ ରଖିବା ପାଇଁ ପ୍ରତିଦିନ ଦୁଇ ଘଣ୍ଟାରୁ ଅଧିକ ସମୟ ଏକ୍ସରସାଇଜ୍ କରିବାକୁ ପଡେ, ଯାହାଫଳରେ ଅତିରିକ୍ତ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ।
ନାସାର ଡାକ୍ତର ସୁନିତାଙ୍କ ଫଟୋ ଭାଇରାଲ ହେବାର ଏକ ମାସ ପୂର୍ବରୁ ତାଙ୍କ ଓଜନ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ। ଷ୍ଟଡିରୁ ଜଣାପଡିଛି ଯେ, ବିଶେଷ ଭାବରେ ମହିଳା ମହାକାଶ ଯାତ୍ରୀଙ୍କୁ ମହାକାଶ ଯାତ୍ରା ବେଳେ ମେଟାବୋଲିଜିମ୍ରେ ପରିବର୍ତ୍ତନ କାରଣରୁ ନିଜ ପୁରୁଷ ସମକକ୍ଷଙ୍କ ତୁଳନାରେ ଦ୍ରୁତ ଗତିରେ ମାସଂପେଶୀର କ୍ଷତି ହୁଏ। ସୁନିତା ଅଧିକ ଉଚ୍ଚତାରେ ରହିବା କାରଣରୁ ତାଙ୍କ ନିକଟରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଛି।