ନୂଆଦିଲ୍ଲୀ: ପାଦରେ ଚାଲିବା ଭୁଲିଗଲେଣି ସୁନୀତା ୱିଲିୟମ୍ସ। ସୋମବାର ଏକ ପ୍ରଶ୍ନୋତ୍ତର ଅଧିବେଶନରେ ଜଣେ ଛାତ୍ରଙ୍କ ସହ କଥା ହେବାବେଳେ କିଛି ଏହିଭଳି କହିଛନ୍ତି ଭାରତୀୟ ବଂଶୋଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଦୀର୍ଘ ସାତମାସ ଧରି ମହାକାଶରେ ଫଶି ରହିଥିବା ସୁନୀତା ମହାକାଶରେ ସାମ୍ନା କରୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ସେ ଛାତ୍ରମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି।
ସୂଚନା ମୁତାବକ, ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍) ରେ ହେବାକୁ ଥିବା ତାଙ୍କ ମିଶନ୍ ଗୋଟିଏ ସପ୍ତାହରୁ ଅଧିକ ସମୟ ପାଇଁ ଚାଲିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଷ୍ଟାରଲାଇନର୍ ମହାକାଶ ଯାନର ଯାନ୍ତ୍ରିକ ସମସ୍ୟା ଦେଖାଯିବା ଯୋଗୁଁ ସୁନୀତା ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍ ୱିଲମୋର ସାତମାସରୁ ଅଧିକ ସମୟ ହେବ ଆଇଏସ୍ଏସ୍ ରେ ଫଶି ରହିଛନ୍ତି।
ପୂର୍ବରୁ ସୁନୀତା ପଢାଉଥିବା ସ୍କୁଲର ଛାତ୍ରମାନଙ୍କ ସହିତ ଏକ ଭର୍ଚୁଆଲ୍ ପ୍ରଶ୍ନୋତ୍ତର ଅଧିବେଶନରେ, ଛାତ୍ରମାନେ ୱିଲିୟମ୍ସଙ୍କୁ ମାଇକ୍ରୋଗ୍ରାଭିଟିର ଅନୁଭବ ବିଷୟରେ ପଚରିଥିଲେ। ଏହାର ଉତ୍ତରରେ ସୁନୀତା ଏହାକୁ ପହଁରିବା କିମ୍ବା ଉଡ଼ିବା ପରି ଅନୁଭବ ବୋଲି ବର୍ଣ୍ଣନା କରିଥିଲେ କିନ୍ତୁ ସ୍ୱୀକାର କରିଥିଲେ ଯେ ମହାକାଶରେ ଦୀର୍ଘ ସମୟ ଧରି ରହିବା ଫଳରେ ତାଙ୍କ ଶରୀରରେ ଅନେକ ଶାରୀରିକ ପରିବର୍ତ୍ତନ ଆସିଛି। "ମୁଁ ଏଠାରେ ବହୁତ ଦିନ ଧରି ରହିଛି ଏବଂ ଚାଲିବା କିପରି ମନେ ରଖିବାକୁ ଚେଷ୍ଟା କରୁଛି। ମୁଁ ଦୀର୍ଘ ଦିନ ହେବ ଚାଲି ନାହିଁ କି ବସି ନାହିଁ। ମୁଁ ଠିକସେ ଶୋଇ ମଧ୍ୟ ପାରିନାହିଁ। ତୁମକୁ ଏହା କରିବାକୁ ପଡିବ ନାହିଁ। ତୁମେ କେବଳ ତୁମର ଆଖି ବନ୍ଦ କରି ଏହାକୁ ଅନୁଭବ କରିପାରିବ ବୋଲି," ସୁନୀତା ଉତ୍ତର ଦେଇଥିଲେ।
ମହାକାଶରେ ଦିନ କାଟୁଥିବା ସୁନୀତାଙ୍କର ମାଆଙ୍କ କଥା ଅଧିକ ମନେ ପଡୁଛି ବୋଲି କହିଥିଲେ। "ମୋ ମାଆ ଦିନକୁ ଦିନ ବୟସ୍କ ହେଉଛନ୍ତି, ତେଣୁ, ମୁଁ ଯଥାସମ୍ଭବ ସେମାନଙ୍କ ସହିତ ଓ ନିଜ ଲୋକ ମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ଚାହୁଁଛି,"। ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସୁନୀତା ନିଜ ମାଆଙ୍କ ସହ ଯୋଡି ହେଇ ରହିବା ପାଇଁ ପ୍ରାୟ ପ୍ରତିଦିନ ମାଆଙ୍କ ସହିତ କଥା ହୁଅନ୍ତି ବୋଲି କହିଛନ୍ତି।
ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି ସୁନୀତା କହିଥିଲେ ମୁଁ ମହାକାଶରେ ଆଦୈ ଏକୁଟିଆ ଅନୁଭବ କରୁନାହିଁ। କାରଣ ଆଇଏସ୍ଏସ୍ ରେ ପ୍ରତିଦିନ ମୋର ବ୍ୟସ୍ତ ବହୁଳ କାର୍ଯ୍ୟ ଭିତରେ ମତେ ଏକୁଟିଆ ଅନୁଭବ ହୋଇନି। ତା ସହ ନିଜ ଫାଙ୍କା ସମୟରେ ମୁଁ ମୋ ପରିବାର ଲୋକମାନଙ୍କ ସହ କଥା ହୁଏ ବୋଲି ସୁନୀତା କହିଛନ୍ତି।
ନାସାର ଏକ ସ୍ପେସ ମିଶନରେ ଷ୍ଟାରଲାଇନର୍ ମହାକାଶ ଯାନର ଯାନ୍ତ୍ରିକ ସମସ୍ୟା ଦେଖାଯିବା ଯୋଗୁଁ ସୁନୀତା ଏବଂ ତାଙ୍କ ସାଥୀ ମହାକାଶରେ ଦୀର୍ଘ ଦିନ ହେବ ଫସି ରହିଛନ୍ତି। ମଝିରେ ସ୍ପେସଏକ୍ସର ମହାକାଶଯାନ କ୍ରିଉ-୯ ଡ୍ରାଗନ ଦ୍ୱାରା ସେମାନେ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଏହି ମିଶନ ବିଳମ୍ବ ହେଇହେଇ ଚାଲିଛି। ଅନ୍ୟପଟେ ଦୁଇ ମହାକାଶଚାରୀ କିପରି ସୁରକ୍ଷିତ ଭାବେ ପୃଥିବି ପୃଷ୍ଟକୁ ଫେରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।