ୱାଶିଂଟନ,୩୦/୦୧:  ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ତାଙ୍କ  ସହଯୋଗୀ ବୁଚ୍‌ ୱିଲମୋରଙ୍କୁ  ଫେରାଇ ଆଣିବା ପାଇଁ ସ୍ପେସ୍‌ଏକ୍ସର  ସିଇଓ ଏଲନ୍‌ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଭୟ ମହାକାଶ ବୈଜ୍ଞାନିକ ଗତବର୍ଷ ଜୁନ୍‌ରୁ ମହାକାଶରେ ଫସିରହିଛନ୍ତି । 

ଟ୍ରମ୍ପ୍‌ ଏ ବାବଦରେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆମ ସାହସୀ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବା ଲାଗି ମୁଁ ମସ୍କଙ୍କୁ  କହିଛି । ସେମାନଙ୍କୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିଲା । ସେମାନେ ମହାକାଶ ଷ୍ଟେସନରେ ଅନେକ ମାସ ହେଲା ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା କରୁଛି । 




ସେହିଭଳି ମସ୍କ  କହିଛନ୍ତି, ଆମେ ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବୁ । ସେମାନେ ଏତେଦିନ ଧରି ସେଠାରେ ରହିବା ଏକ ଭୟାନକ ଘଟଣା । ଉଲ୍ଲେଖଯୋଗ୍ୟ, ୮  ମାସ ହେଲା ସୁନୀତା ମହାକାଶରେ ଅଛନ୍ତି । ଗତବର୍ଷ ଜୁନ୍‌ ୫ରେ ସେ ଯାତ୍ରା  କରିଥିଲେ । ସପ୍ତାହକ ପରେ ସେ ଫେରିବାର ଥିଲା । ଉଭୟ ଯାତ୍ରୀ ବୋଇଙ୍ଗ୍‌ର  ନୂଆ ଷ୍ଟାରଲାଇନର କ୍ୟାପ୍‌ସୁଲର ପରୀକ୍ଷା ଲାଗି ଯାଇଥିଲେ । କିନ୍ତୁ କ୍ୟାପ୍‌ସୁଲରେ  ବୈଷୟିକ ତ୍ରୁଟି ଦେଖାଦେବା ପରେ ଉଭୟ ଆଇଏସ୍‌ଏସ୍‌ରେ ଅଟକି ଯାଇଛନ୍ତି ।