ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସମେତ ୨୧ ଜଣ ଥିଲେ। ଦୁର୍ଘଟଣାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିମାନଟି ୟୁନିଟି ଅଏଲଫିଲ୍ଡ ବିମାନବନ୍ଦରରୁ ରାଜଧାନୀ ଜୁବାକୁ ଉଡ଼ାଣ ଭରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୟୁନିଟି ରାଜ୍ୟ ସୂଚନା ମନ୍ତ୍ରୀ ଗଟୱେଚ୍ ବିପାଲ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି।
ଏହି ବିମାନରେ ତୈଳ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଥିଲେ, ଯେଉଁ ମାନେ କି ଗ୍ରେଟର ପାୟୋନିୟର ଅପରେଟିଂ କମ୍ପାନୀ (GPOC) ସହିତ ଜଡିତ । ଏହି କମ୍ପାନୀ ଚୀନ୍ ନ୍ୟାସନାଲ୍ ପେଟ୍ରୋଲିୟମ୍ କର୍ପୋରେସନ୍ ଏବଂ ନାଇଲ୍ ପେଟ୍ରୋଲିୟମ୍ କର୍ପୋରେସନ୍ ସହିତ ମିଳିତ ଭାବରେ କାମ କରେ । ମୃତକଙ୍କ ମଧ୍ୟରେ ଦୁଇଜଣ ଚୀନ୍ ନାଗରିକ ଏବଂ ଜଣେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି।
ବର୍ତ୍ତମାନ ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତ କିଛି ବର୍ଷ ମଧ୍ୟରେ ଦକ୍ଷିଣ ସୁଡାନରେ ଅନେକ ବିମାନ ଦୁର୍ଘଟଣା ଘଟିଛି। ୨୦୧୮ ମସିହାରେ, ଜୁବାରୁ ୟିରୋଲ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ୨୦୧୫ ମସିହାରେ ମଧ୍ୟ, ଏକ ରୁଷୀୟ ମାଲବାହୀ ବିମାନ ଜୁବା ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା।