ବଡ଼ବିଲ,୨୩/୧୨: ବଡବିଲ ପୌରାଞ୍ଚଳ ୯ ନମ୍ୱର ୱାର୍ଡର ନ୍ୟୁ ମାର୍କେଟ ଅଞ୍ଚଳରେ ହନୁମାନ ମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ରବିବାର ରାତିରେ କେହି ଦୁର୍ବୃତ୍ତ ହନୁମାନ ବିଗ୍ରହକୁ ପ୍ରତିଷ୍ଠା ହୋଇଥିବା ସ୍ଥାନରୁ ଫୋପାଡି ଦେବା ସହ ରୂପା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ବଡ଼ବିଲ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରୁ ହନୁମାନ ବିଗ୍ରହକୁ ନେଇଯାଇଥିବା କୁହାଯାଉଛି । ତୁରନ୍ତ ବିଗ୍ରହକୁ ଫେରାଇବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରି ଲୋକେ ରାସ୍ତା ଅବରୋଧ କରିଛନ୍ତି । ଅସାମାଜିକ ବ୍ୟକ୍ତି ଲଗାତାର ହିନ୍ଦୁ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରୁଥିବାରୁ ମନ୍ଦିର ଓ ଦେବାଦେବୀ ସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି । ଏନେଇ ପୋଲିସ ଆଖ ପାଖରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଛି । ସେପଟେ ଘଟଣାର ପ୍ରତିବାଦରେ ବଡ଼ବିଲ ବଜାର ବନ୍ଦ କରାଯାଇଛି । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।