ନୂଆଦିଲ୍ଲୀ: ଗ୍ରେଟର ନୋଇଡାର ନିକ୍କି ହତ୍ୟା ମାମଲା ଏକ ନୂଆ ମୋଡ ନେଇଛି। ଯାହାଙ୍କୁ ତାଙ୍କ ସ୍ୱାମୀ ବିପିନ୍ ଏବଂ ଶ୍ୱଶୁର ଘର ଲୋକେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତକାରୀ ମାନେ ପ୍ରକାଶ କରିଛନ୍ତି ଯେ, ତାଙ୍କର ସୋସିଆଲ ମିଡିଆ କାର୍ଯ୍ୟକଳାପ ଏବଂ ତାଙ୍କ ବ୍ୟୁଟି ପାର୍ଲର ଖୋଲିବାକୁ ଯୋଜନା ବୈବାହିକ ଜୀବନରେ ଦ୍ୱନ୍ଦର ମୁଖ୍ୟ କାରଣ ଥିଲା।
ପୁଲିସ ଅନୁଯାୟୀ,ବିପିନ୍ ଅସନ୍ତୁଷ୍ଟ ଥିଲେ ଏବଂ ନିକିଙ୍କ ଇନଷ୍ଟାଗ୍ରାମ ରିଲ୍ ତିଆରି କରିବାର ଅଭ୍ୟାସ ଏବଂ ତାଙ୍କ ଭଉଣୀ କାଞ୍ଚନଙ୍କ ସହ ଏକ ବ୍ୟୁଟି ପାର୍ଲର ଖୋଲିବାକୁ ଯୋଜନା ବିରୁଦ୍ଧରେ ଥିଲେ। ଏଥିପାଇଁ ଶ୍ୱଶୁର ଘର ଲୋକଙ୍କ ସହିତ ପ୍ରତିଦିନ ତାଙ୍କର ଝଗଡ଼ା ହେଉଥିଲା।
"ବିପିନ୍ ତାଙ୍କୁ ଭିଡିଓ ତିଆରି ବନ୍ଦ କରିବାକୁ କହିଥିଲେ, କିନ୍ତୁ ନିକି ଏହାକୁ କର୍ଣ୍ଣପାତ ନକରି ଜାରି ରଖିଥିଲେ। ସେ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ ସେ ଖୁବ୍ ଶୀଘ୍ର ପାର୍ଲର ଖୋଲିବେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଏକ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ପରବର୍ତ୍ତୀ ହିଂସାର କାରଣ ହୋଇଥିଲା ।
ଆକ୍ରମଣର କିଛି ସମୟ ପୂର୍ବରୁ ଅର୍ଥାତ ଅଗଷ୍ଟ ୨୧ ତାରିଖରେ, ନିକି ଏବଂ ତାଙ୍କ ଭଉଣୀ କାଞ୍ଚନ ସେମାନଙ୍କ ଶାଶୁଙ୍କ ସହ ସେମାନଙ୍କ ଘରେ ଏକ ଅସ୍ଥାୟୀ "ଷ୍ଟୁଡିଓ" ଭିତରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଯୁକ୍ତିତର୍କ କରିଥିଲେ। ପୋଲିସ କହିଛି ଯେ ଏହି ବିବାଦ ଏକ ନୃଶଂସ ଘଟଣାରେ ପରିଣତ ହୋଇଥିଲା, ଯେଉଁଠାରେ ନିକିଙ୍କ ଉପରେ କିରୋସିନ୍ ଢାଳି ତାଙ୍କୁ ପୋଡ଼ି ଦିଆଯାଇଥିଲା।
କାଞ୍ଚନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଅଭିଯୋଗ ଅନୁଯାୟୀ, ବିପିନ୍ ନିକିଙ୍କୁ ତାଙ୍କ କେଶ ଧରି ଟାଣି ନେଇଥିଲେ ଏବଂ "ଭିଡିଓ ତିଆରି କରିବା" ପାଇଁ ତାଙ୍କୁ ପରିହାସ କରିଥିଲେ । ଅନ୍ୟ ଏକ କ୍ଲିପ୍ ରେ ନିକି ନିଆଁରେ ଜଳି ସିଡି ତଳକୁ ଖସିପଡ଼ିଥିବା ଦେଖାଯାଇଛି।
ତଦନ୍ତକାରୀ ମାନେ ଏପର୍ଯ୍ୟନ୍ତ ଘରୋଇ ହିଂସା ଏବଂ ନିର୍ଯାତନାର ଏକ ନମୁନା ପାଇଛନ୍ତି କିନ୍ତୁ ଯୌତୁକ ଦାବିର ପ୍ରମାଣ ଏପର୍ଯ୍ୟନ୍ତ ପାଇନାହାନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: "ଏପର୍ଯ୍ୟନ୍ତ, ଆମେ ଯୌତୁକ ଦାବିର ପ୍ରମାଣ ପାଇନାହୁଁ, କିନ୍ତୁ ବାରମ୍ବାର ଘରୋଇ ହିଂସାର ଘଟଣା ଘଟିଛି। ବିପିନ୍ ଅନ୍ୟ ମହିଳାଙ୍କ ସହିତ ମଧ୍ୟ ସମ୍ପର୍କରେ ଥିଲେ, ଯାହା ସମ୍ପର୍କକୁ ଆହୁରି ତିକ୍ତ କରିଥିଲା।"
ତେବେ ନିକିଙ୍କ ବାପା, ଭିଖାରୀ ସିଂହ ପାୟଲା ଜିଦ୍ ଧରିଛନ୍ତି ଯେ ଯୌତୁକ ଦାବି ନିର୍ଯାତନାର ଏକ ଅଂଶ ଥିଲା। ସେ ଅଭିଯୋଗ କରିଛନ୍ତି ଯେ ବିପିନ୍ ଏବଂ ତାଙ୍କ ପରିବାର ନିକିଙ୍କ ଉପରେ ଟଙ୍କା ଏବଂ ଏକ କାର ପାଇଁ ଚାପ ପକାଇ ଆସୁଥିଲେ।