ନୂଆଦିଲ୍ଲୀ: ଭାରତ ତାୱି ନଦୀରେ ସମ୍ଭାବ୍ୟ ବନ୍ୟା ବିଷୟରେ ପାକିସ୍ତାନକୁ ସୂଚନା ଦେଇଛି। ଏହି ସୂଚନା ମାନବିକତା ଦୃଷ୍ଟିକୋଣରୁ ଦିଆଯାଇଛି। ହେଲେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ ଭାରତ ମାନବିକତା ଦୃଷ୍ଟିରୁ ପାକିସ୍ତାନକୁ ବନ୍ୟା ନେଇ ସୂଚନା ଦେଇଛି ।
ପାକିସ୍ତାନକୁ ସମ୍ଭାବ୍ୟ ବନ୍ୟାର ସୂଚନା
ଭାରତ ସରକାର ସମ୍ଭାବ୍ୟ ବନ୍ୟା ବିଷୟରେ ପାକିସ୍ତାନକୁ ସୂଚନା ଦେଇଛନ୍ତି । କିନ୍ତୁ ଏନେଇ ଭାରତ କିମ୍ବା ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ମିଳିନାହିଁ । ସାଧାରଣତଃ, ଏପରି ସୂଚନା ସିନ୍ଧୁ ଜଳ କମିଶନରଙ୍କ ମାଧ୍ୟମରେ ସେୟାର କରାଯାଏ।
ପାକିସ୍ତାନ ଚେତାବନୀ ଜାରି କରିଛି
ଏହା ମଧ୍ୟ ଦାବି କରାଯାଉଛି ଯେ, ଭାରତ ଜମ୍ମୁର ତାୱି ନଦୀରେ ସମ୍ଭାବ୍ୟ ବଡ଼ ବନ୍ୟା ବିଷୟରେ ପାକିସ୍ତାନକୁ ସତର୍କ କରିଛି। ଭାରତୀୟ ହାଇ କମିଶନ ରବିବାର ଇସଲାମାବାଦରେ ଏହି ସୂଚନା ଦେଇଛନ୍ତି । ସୂତ୍ର ଅନୁସାରେ, ମେ ମାସରେ ଭାରତ-ପାକିସ୍ତାନ ବିବାଦ ପରେ ଏହା ପ୍ରଥମ ଯୋଗାଯୋଗ। ଭାରତରୁ ମିଳିଥିବା ସୂଚନା ଆଧାରରେ ପାକିସ୍ତାନ ଏକ ଚେତାବନୀ ମଧ୍ୟ ଜାରି କରିଛି।
ପଡ଼ୋଶୀ ଦେଶରେ ପ୍ରବଳ ବର୍ଷା ଜାରି
ଗୁରୁବାରଠାରୁ ପାକିସ୍ତାନର ଉତ୍ତର ଭାଗରେ ପ୍ରବଳ ବର୍ଷା ଜାରି ରହିଛି । ଏହା ବନ୍ୟା, ଜଳବନ୍ଦୀ ଏବଂ ଭୂସ୍ଖଳନର କାରଣ ହୋଇଛି। ଅନେକ ଗାଁ ଭାସି ଯାଇଛି ଏବଂ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ପ୍ରାଦେଶିକ ବିପର୍ଯ୍ୟୟ ସଂସ୍ଥା ଅନୁଯାୟୀ, ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ୩୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ଅଗଷ୍ଟ ୩୦ ପର୍ଯ୍ୟନ୍ତ ପାକିସ୍ତାନର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି। ଜୁନ୍ ୨୬ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ମୌସୁମୀର ପ୍ରକୋପର ସମ୍ମୁଖୀନ ହୋଇଛି ପାକିସ୍ତାନ । ଶନିବାର ସୁଦ୍ଧା, ୭୮୮ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧,୦୧୮ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୨୨ ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା । ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା ୧୯୬୦ ମସିହାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳ ବଣ୍ଟନ ଏବଂ ବ୍ୟବହାରକୁ ନିୟନ୍ତ୍ରଣ କରେ ।