ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ଫାନ୍ଟାସି ସ୍ପୋର୍ଟସ ପ୍ଲାଟଫର୍ମ ଡ୍ରିମ୍୧୧ ମଧ୍ୟରେ ଥିବା ସ୍ପନସରସିପ ଚୁକ୍ତି ୨୦୨୫ ଅନଲାଇନ ଗେମିଂ ପ୍ରୋମୋସନ ଓ ନିୟନ୍ତ୍ରଣ ବିଲ ପାସ ହେବା ପରେ ସମାପ୍ତ ହେବାକୁ ଯାଉଛି। ଏହି ବିଲ, ଯାହା ଫାନ୍ଟାସି ଏବଂ ରିଅଲ-ମନି ଗେମିଂ ପ୍ଲାଟଫର୍ମ ଉପରେ ସମ୍ପୂର୍ଣ ନିଷେଧାଜ୍ଞା ଲାଗୁ କରିଛି। ଗୁରୁବାର ଦିନ ସଂସଦର ଉଭୟ ଗୃହରେ ଏହି ନୂତନ ବିଲ ପାସ ହୋଇଛି।
ବିସିସିଆଇ ସଚିବ ଦେବଜିତ ସାଇକିଆ ଏହି ନିଷ୍ପତ୍ତିକୁ ନିଶ୍ଚିତ କରି କହିଛନ୍ତି ଯେ, "ବର୍ତମାନ ପରିସ୍ଥିତିକୁ ଦେଖି ଏବଂ ବିଲଟି ଆଇନରେ ପରିଣତ ହୋଇଥିବାରୁ, ଡ୍ରିମ୍୧୧ ସହ ସମ୍ପର୍କ ଜାରି ରଖିବା ବିସିସିଆଇ ପାଇଁ କଷ୍ଟକର ହେବ। ତେଣୁ, ଡ୍ରିମ୍୧୧ ସହ ସହଭାଗୀତା ସମାପ୍ତ ହେଉଛି ଏବଂ ବିସିସିଆଇ ଭବିଷ୍ୟତରେ ନୂଆ ସ୍ପନସର ଖୋଜିବ।"
ଡ୍ରିମ୍୧୧ ଏବଂ ମାଇ୧୧ସର୍କଲ ମିଳିତ ଭାବେ ବିସିସିଆଇକୁ ଭାରତୀୟ କ୍ରିକେଟ ଦଳ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ପାଇଁ ଟାଇଟଲ ସ୍ପନସରସିପ ମାଧ୍ୟମରେ ପ୍ରାୟ ୧୦୦୦ କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ଡ୍ରିମ୍୧୧ ୨୦୨୩-୨୦୨୬ ଅର୍ଥିକ ବର୍ଷ ପାଇଁ ୪୪ ମିଲିୟନ ଡଲାର (୩୫୮ କୋଟି ଟଙ୍କା) ମୂଲ୍ୟର ଚୁକ୍ତି ସହ ଟିମ ଇଣ୍ଡିଆର ଟାଇଟଲ ସ୍ପନସର ହୋଇଥିଲା। କିନ୍ତୁ, ନୂଆ ଆଇନ ଅନୁଯାୟୀ, ଯେଉଁଥିରେ "କୌଣସି ବ୍ୟକ୍ତି ଅନଲାଇନ ମନି ଗେମିଂ ସେବା ପ୍ରଦାନ କରିବା, ସହାୟତା କରିବା, ପ୍ରୋତ୍ସାହନ ଦେବା କିମ୍ବା ଏହାର ବିଜ୍ଞାପନରେ ସାମିଲ ହେବା ନିଷେଧ" ଉଲ୍ଲେଖ ଅଛି, ଫାନ୍ଟାସି ସ୍ପୋର୍ଟସ କମ୍ପାନୀଗୁଡିକର ଆୟ ଉପରେ ବଡ଼ ଆଘାତ ଲାଗିଛି।
ଡ୍ରିମ୍୧୧ ଟିମ ଇଣ୍ଡିଆ ବ୍ୟତୀତ ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଅଫିସିଆଲ ଫାନ୍ଟାସି ପାର୍ଟନର ମଧ୍ୟ ଅଟେ। ଚୁକ୍ତିରେ ଏକ ଧାରା ଅନୁଯାୟୀ, ଯଦି ସ୍ପନସରର ମୁଖ୍ୟ ବ୍ୟବସାୟ ସରକାରୀ ନିଷେଧାଜ୍ଞାର ସମ୍ମୁଖୀନ ହୁଏ, ତେବେ ଡ୍ରିମ୍୧୧କୁ କୌଣସି ଜୋରିମାନା ଦେବାକୁ ପଡ଼ିବ ନାହିଁ ଏବଂ ଚୁକ୍ତିର ଅବଶିଷ୍ଟ ଅର୍ଥ ଦେବାର କୌଣସି ବାଧ୍ୟବାଧକତା ରହିବ ନାହିଁ।
ଡ୍ରିମ୍୧୧ ଏକ ବିବୃତିରେ କହିଛି, "ଆମେ ସର୍ବଦା ଆଇନର ପାଳନ କରୁଛୁ ଏବଂ ଆମର ବ୍ୟବସାୟକୁ ଆଇନ ଅନୁଯାୟୀ ପରିଚାଳନା କରିଛୁ। ଯଦିଓ ଆମେ ବିଶ୍ୱାସ କରୁଛୁ ଯେ ପ୍ରଗତିଶୀଳ ଆଇନ ଆଗକୁ ବଢ଼ିବାର ପଥ ହୋଇଥାନ୍ତା, ତଥାପି ଆମେ ୨୦୨୫ ଅନଲାଇନ ଗେମିଂ ପ୍ରୋମୋସନ ଓ ନିୟନ୍ତ୍ରଣ ବିଲକୁ ସମ୍ପୂର୍ଣ୍ଣ ରୂପେ ମାନିବୁ।"
ଏହା ସହିତ, ବ୍ୟକ୍ତିଗତ କ୍ରିକେଟରଙ୍କ ଦ୍ୱାରା ଫାନ୍ଟାସି ଗେମିଂ ଆପ୍ ର ପ୍ରଚାର ମଧ୍ୟ ଏହି ଆଇନ ଯୋଗୁଁ ବନ୍ଦ ହେବ ବୋଲି ଆଶା କରାଯାଉଛି।