ବାଙ୍ଗିରିପୋଷି,୩୧/୫: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ଗାଡିକୁ ଝାଡ଼ଖଣ୍ଡ ଅଞ୍ଚଳରୁ ଉଦ୍ଧାର କରିଛି ବାଙ୍ଗିରିପୋଷି ପୁଲିସ। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ମୁତାବକ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗାଁର ଅମପ୍ରକାଶ ପୁଟିଙ୍କ ଏକ ଚାରିଚକିଆ ଗାଡି ଘର ସମ୍ମୁଖରୁ ୨୦୨୩ ମସିହାରେ ଚୋରି ହୋଇଥିଲା। ବହୁ ଖୋଜା ଖୋଜି ପରେ ମଧ୍ୟ ଗାଡ଼ିର କୌଣସି ପତ୍ତା ମିଳିନଥିଲା। ତେବେ ଉକ୍ତ ଚୋରି ହୋଇଥିବା ଗାଡିଟି ଝାଡ଼ଖଣ୍ଡର ସଲାଇଡିହି ଅଞ୍ଚଳରେ ଥିବା କୌଣସି ସୁତ୍ରରୁ ଖବର ପାଇଥିଲା ପୁଲିସ । ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ଝାଡ଼ଖଣ୍ଡ ପୁଲିସ ସହିତ ମିଳିତ ଚଢାଉ କରି ଗାଡ଼ି ସହିତ ଘାସିରାମ ମୁଣ୍ଡା ନାମକ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି। ବାଙ୍ଗିରିପୋଷି ପୁଲିସ ଏନେଇ ଥାନାରେ ମାମଲା ରୁଜୁ କରିଥିଲା। ବାଙ୍ଗିରିପୋଷି ସମେତ ମୟୂରଭଞ୍ଜ ଜିଲ୍ଲାର ଗାଡ଼ି ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଧିକ ତଦନ୍ତ ଲାଗି ପର ମୁହୂର୍ତ୍ତରେ କୋର୍ଟରୁ ଅନୁମତି ନେଇ ରିମାଣ୍ଡରେ ଆଣାଯିବ ବୋଲି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି।