ବାରିପଦା,୩୦/୦୫: ଉଗ୍ର ରୂପ ନେଲା ପାରିବାରିକ କଳହ। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର। ମୟୁରଭଞ୍ଜ ଜିଲ୍ଲା ବାରିପଦାର ସ୍ଥାନୀୟ ଏମକେସି ହାଇସ୍କୁଲ ଛକ ନିକଟ ବିଚ୍ ରାସ୍ତାରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ଜଣକ କବିତା ଦିଗାର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନରେ କବିତା ଦିଗାର ଚାଲିଚାଲି ଯାଉଥିବା ବେଳେ ତାଙ୍କ ସ୍ୱାମୀ ରବୀନ୍ଦ୍ର ସାହୁ ପଛପଟୁ ଏକ ଛୁରାରେ ଆକ୍ରମଣ କରିଥିଲେ। ଯାହାଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ସ୍ୱାମୀ ରବୀନ୍ଦ୍ରକୁ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।