ପ୍ରମୂଖ ଖବର
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ତେନ୍ତୁଳିଗାଁ ସାପ୍ତାହିକ ହାଟରେ ବ୍ୟବସାୟୀ ଓ ନିଲାମଧାରୀଙ୍କ ମଧ୍ୟରେ ବିବାଦ, ବର୍ଦ୍ଧିତ ମାସୁଲ ଆଦାୟକୁ ନେଇ ଗଣ୍ଡଗୋଳ

Published By : Rasmita Pradhan | May 31, 2025 2:17 PM

ମାଣତ୍ରୀ, ୩୧/୦୫ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପଟିସାରି ପଞ୍ଚାୟତ ତେନ୍ତୁଳିଗାଁ ସାପ୍ତାହିକ ହାଟରେ ବ୍ୟବସାୟୀ ଓ ନିଲାମଧାରୀଙ୍କ ମଧ୍ୟରେ ବିବାଦ। ବର୍ଦ୍ଧିତ ମାସୁଲ ଆଦାୟକୁ ନେଇ ଗଣ୍ଡଗୋଳ। ଘଟଣାସ୍ଥଳକୁ ଯାଇ ବୁଝାସୁଝା କଲେ ବଡ଼ସାହି ଥାନା ଅଧିକାରିଣୀ, ତହସିଲଦାର ଏବଂ ଆଡିସନାଲ ତହସିଲଦାର। ଏହାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୨ ତାରିଖରେ ବସିବ ବୈଠକ। 

ସୂଚନା ମୁତାବକ, ତେନ୍ତୁଳିଗାଁରେ ୧୦ ବର୍ଷ ହେବ ସାପ୍ତାହିକ ହାଟ ବସୁଛି। ଏଠାକୁ ଦୂର ଦୂରାନ୍ତରୁ ଚାଷୀ ଓ ବ୍ୟବସାୟୀ ଆସି ବ୍ୟବସାୟ କରନ୍ତି। ତେବେ ପୂର୍ବରୁ ସାପ୍ତାହିକ ହାଟରେ ୫ ଟଙ୍କା ଲେଖାଏଁ ମାସୁଲ ଆଦାୟ କରାଯାଉଥିଲା। କିଛି ଦିନ ତଳେ ଏହାକୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁଣି କିଛି ଦିନ ମଧ୍ୟରେ ୧୦ ଟଙ୍କାରୁ ୨୦ ଟଙ୍କାକୁ  ବୃଦ୍ଧି କରାଯାଇଛି। ଆଜି ୨୦ ଟଙ୍କା ମାସୁଲ ଆଦାୟ କରିବା ବେଳେ ଚାଷୀ ଓ ବ୍ୟବସାୟୀ ମିଶି ହାଟ ଦାଣ୍ଡିଆକୁ ବିରୋଧ କରିଥିଲେ। ଯାହାଫଳରେ ହାଟରେ ମାସୁଲ ଆଦାୟକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ମାସୁଲ ଆଦାୟକାରୀମାନେ କିଛି ଚାଷୀ ଓ ବ୍ୟବସାୟୀମାନଙ୍କର ତରାଜୁ ଓ ବଟକରା ଛଡାଇ ନେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଚାଷୀ ଓ ବ୍ୟବସାୟୀ ଉଠି ଆସି ବେଗୁନିଆବଣି ଗ୍ରାମରେ ଥିବା ଏକ ପଡ଼ିଆରେ ହାଟ ବସାଇଥିଲେ। ଏହାପରେ ତେନ୍ତୁଳିଗାଁ ଓ ବେଗୁନିଆବଣି ଦୁଇ ଗାଁ ଭିତରେ ବିବାଦ ସୃଷ୍ଟି ହୋଇଥିଲା। 

ଏହାପରେ ଘଟଣାସ୍ଥଳରେ ବଡ଼ସାହି ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ, ବଡସାହି ତହସିଲଦାର କରୁଣାକର ଧିନ୍ଧା ଓ ଆଡିସନାଲ ତହସିଲଦାର ବିନିତାରାଣି କିସ୍କୁ ପହଞ୍ଚି ବୁଝାସୁଝା କରିଥିଲେ। ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଆସନ୍ତା ୨ ତାରିଖ ଦିନ ୧୧ଟାରେ ବେଗୁନିଆବଣି ଠାରେ ଏକ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ତେନ୍ତୁଳିଗାଁ, ବେଗୁନିଆବଣି ଗ୍ରାମର କିଛି ଲୋକ ଓ କିଛି ବ୍ୟବସାୟୀ ସହ ବଡ଼ସାହି ଥାନାଧିକାରୀ, ବିଡିଓ, ତହସିଲଦାର ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.