ବୀରମିତ୍ରପୁର୦୨/୦୬: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସହରରୁ ୨୦ କିମି ଦୂର ଝାଡ଼ଖଣ୍ଡ ରାଜ୍ୟ ସୀମଡେଗା ଜିଲ୍ଲା ଠେଠେଇ ଟାଙ୍ଗର ଥାନା ପୁଲିସ ଆଜି ବିପୁଳ ପରିମାଣର ଗଞ୍ଜେଇ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ ଠେଠେଇ ଟାଙ୍ଗର ପୁଲିସ ଆଜି ୧୪୩ ନଂ ଜାତୀୟ ରାଜପଥରେ ସନ୍ଧ୍ୟା ୪ ଟାରେ ପାଟ୍ରୋଲିଂ କରୁଥିବା ବେଳେ ଏକ କାର ନଂ (ଓଡ଼ି - ୦୨ ବିଏକ୍ସ - ୮୭୪୮) ପୁଲିସ ଗାଡ଼ି ଦେଖି ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗାଡ଼ି ଏହାର ପିଛା କରିଥିଲା। ପୁଲିସ ଟିମ୍ ପିଛା କରୁଥିବା ଦେଖି କାର ଚଳାଉଥିବା ବ୍ୟକ୍ତି ଓ ଆଉ ଜଣେ ଗାଡ଼ି ଛାଡି ଦୌଡ଼ି ପଳାଇଥିଲେ।
ଏହା ପରେ ପୁଲିସ ଗାଡ଼ିକୁ ଯାଞ୍ଚ କରିଥିବା ବେଳେ ଗାଡ଼ିର ଡିକିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ପ୍ରାୟ ୭୦ଟି ପ୍ୟାକେଟରେ ୧୨୦ କିଲୋ ଗଞ୍ଜେଇ ଥିବା ଜଣା ପଡ଼ିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ଓ ଆସନ୍ତା କାଲି ପୁଲିସ ଏ ନେଇ ସ୍ପଷ୍ଟ ସୂଚନା ଦେବ ବୋଲି ଜଣାପଡିଛି । ଉକ୍ତ କାରଟି ଓଡ଼ିଶା ପଟୁ ଝାଡ଼ଖଣ୍ଡ ଆଡ଼କୁ ଯାଉଥିବା ଜଣାପଡିଛି। ତଦନ୍ତ ପରେ ସମ୍ପୂର୍ଣ ତଥ୍ୟ ମିଳି ପାରିବ ବୋଲି ପୁଲିସ ସୂଚନା ଦେଇଛି। ଫେରାର ଦ୍ୱୟ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି।