ଭୁବନେଶ୍ବର,୦୭/୦୧: ଫଟୋ ଭୋଟର ତାଲିକାର ଏକ ଚୂଡ଼ାନ୍ତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବା ଏସ୍ଏସ୍ଆର ୨୦୨୫ ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଏହାକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୋଟ ଭୋଟର ସଂଖ୍ୟାରେ ୨ ଲକ୍ଷ ୧୦ ହଜାର ୯୦୪ ବୃଦ୍ଧି ହୋଇଛି । ଫଳରେ ମୋଟ ଭୋଟର ସଂଖ୍ୟା ୩ କୋଟି ୪୦ ଲକ୍ଷ ୭୨ ହଜାର ୭୪୦ ହୋଇଛି । ଏଥିରେ ୧ କୋଟି ୭୨ ଲକ୍ଷ ୫ ହଜାର ୧୫୦ ଜଣ ପୁରୁଷ ଥିବା ବେଳେ ୧ କୋଟି ୬୮ ଲକ୍ଷ ୬୪ ହଜାର ୧୬୦ ଜଣ ମହିଳା ଓ ୩ ହଜାର ୪୩୪ ଜଣ ତୃତୀୟ ଲିଙ୍ଗ ବର୍ଗର ଭୋଟର ରହିଛନ୍ତି । ୧୮ରୁ ୧୯ ବର୍ଷ ବୟସର ଯୁବ ଭୋଟରଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ମୋଟ ଭୋଟରଙ୍କ ୧.୭୬ ପ୍ରତିଶତ ହେଉଛନ୍ତି ଏହି ବର୍ଗର ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ହୋଇ ଏବେ ୫ ଲକ୍ଷ ୯୯ ହଜାର ୫୫୫ରେ ପହଞ୍ଚିଛି ।
ସେହିପରି ଲିଙ୍ଗ ଅନୁପାତରେ ମଧ୍ୟ ଉନ୍ନତି ହୋଇଛି । ଚିଠା ତାଲିକାରେ ୯୭୬ ଥିବା ବେଳେ ଚୂଡ଼ାନ୍ତ ତାଲିକାରେ ବୃଦ୍ଧି ପାଇଁ ୯୮୦ ହୋଇଛି । ଭିନ୍ନକ୍ଷମ ବ୍ୟକ୍ତି ତାଲିକାରେ ବର୍ତ୍ତମାନ ୫ ଲକ୍ଷ ୨୨ ହଜାର ୩୬୪ ଭିନ୍ନକ୍ଷମ ଭୋଟର ଅନ୍ତର୍ଭୁକ୍ତ ଅଛନ୍ତି । ବରିଷ୍ଠ ନାଗରିକ ବର୍ଗରେ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୧୬ ହୋଇଛି । ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ରେ ମିଶିଛନ୍ତି ୪ ଲକ୍ଷ ୫ ହଜାର ୩୯୪ ଭୋଟର । ଯେଉଁଥିରେ ୧୮ରୁ ୧୯ ବର୍ଷ ବୟସ ବର୍ଗର ୧ ଲକ୍ଷ ୩୯ ହଜାର ୭୪୧, ୨୦ରୁ -୨୯ ବର୍ଷ ବୟସ ବର୍ଗରେ ୧ ଲକ୍ଷ ୯୩ ହଜାର ୮୨୦ ଜଣ ଅଛନ୍ତି । ସେହିପରି ମୃତ୍ୟୁ ଜନିତ କିମ୍ବା ସ୍ଥାୟୀ ସ୍ଥାନାନ୍ତର ଆଦି କାରଣରୁ ୨ ଲକ୍ଷ ୫୬ ହଜାର ୬୭୦ ଜଣଙ୍କ ନାମକୁ ବାଦ୍ ଦିଆଯାଇଛି । ସଂଶୋଧନ ରେ ୩ ଲକ୍ଷ ୮୧ ହଜାର ୮୧୩ ଜଣ ସଂଶୋଧନ ତଥା ଭୋଟର ବିବରଣୀ ଠିକ୍ କରିଛନ୍ତି ।
୧୭ ବର୍ଷରୁ ଅଧିକ ବୟସ ବର୍ଗର ୨୪ ହଜାର ୭୯୯ ଜଣ ସମ୍ଭାବ୍ୟ ଭୋଟର ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିଛନ୍ତି । ୨୦୨୫ରେ ଯୋଗ୍ୟତା ତାରିଖ ଆଧାରରେ ପରବର୍ତ୍ତୀ ଅପଡେଟ୍ରେ ସେମାନଙ୍କୁ ପଞ୍ଜିକୃତ କରାଯିବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ କହିଛନ୍ତି, ଏହା ରାଜ୍ୟର ଗଣତାନ୍ତ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ଏହା ନିର୍ବାଚନ ପ୍ରକ୍ରିୟାର ସାମୂହିକ ପ୍ରୟାସ ଓ ନାଗରିକଙ୍କ ଉତ୍ସାହୀ ଅଂଶଗ୍ରହଣର ପ୍ରମାଣ । ସଂଶୋଧନ ପ୍ରକ୍ରିୟାରେ ସହଯୋଗ ଓ ସମର୍ଥନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ ଓ ନାଗରିକ ସମାଜ ସଂଗଠନ ସମେତ ସମସ୍ତ ଅଂଶୀଦାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।