କଟକ, ୦୮/୦୧ : ଏତଲା ଦିଆଯିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ପୁଲିସ୍ ମାମଲା ପଞ୍ଜିକୃତ କରିନାହିଁ । ଅଭିଯୋଗକୁ ଚାପି ରଖି ନିଜ ଇଚ୍ଛା ଅନୁସାରେ ତଦନ୍ତ ଚଲାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଆବେଦନକାରିଣୀଙ୍କୁ ପୁଲିସ ମାନସିକ ନିର୍ଯାତନା ଦେଉଛି । ଯାହାକି ଆଇନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୋଧାଚରଣ କରୁଛି । ପୁଲିସ୍ର ଏଭଳି ମନମୁଖି କାମକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ରାଜ୍ୟର ଅଧିକାଂଶ ଥାନାରେ ପୁଲିସର ଏଭଳି ମନ୍ମାନି ଚାଲିଛି ଓ ଲୋକମାନଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ମତ ଦେଇଛନ୍ତି । ଏହା ଏକ ଅତ୍ୟନ୍ତ ସମ୍ପେଦନଶୀଳ ପ୍ରସଙ୍ଗ । ଏଥିରେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ହସ୍ତକ୍ଷେପ କରିବାର ନିହାତି ଆବଶ୍ୟକତା ରହିଛି । ନିଜ ଘର ଯେପରି ଶୃଙ୍ଖଳା ଭିତରେ କାର୍ଯ୍ୟ କରେ ତାହା ମଧ୍ୟ ସୁନିଶ୍ଚିନ୍ତ କରିବା ଆବଶ୍ୟକ । ନଚେତ୍ ଏହା ସ୍ୱେଚ୍ଛାଚାରିତା ଆଡ଼କୁ ବାଟ କଢ଼ାଇ ନେବ ବୋଲି ହାଇକୋର୍ଟ ଚେତାବନୀ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ତଦନ୍ତକାରୀ ଅଧିକାରୀ ଆବେଦନକାରିଣୀଙ୍କୁ ଆଗୁଆ ଜାମିନ୍ରେ ଛାଡ଼ିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏବଂ ପୁଲିସ୍ ଅଧକାରୀଙ୍କ ସମ୍ପୃକ୍ତି ଥିବାରୁ ଗୃହ ବିଭାଗ ସଚିବ ଏବଂ ପୁଲିସ୍ ଡିଜି ଏହାର ତଦନ୍ତ କରିବା ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚନ୍ଦ୍ରିକା ନାୟକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାରୁ ପ୍ରକାଶ, ଆବେଦନକାରିଣୀ ଜଣେ ବିଧବା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନାରେ ଏକ ଜମି ବିବାଦରୁ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆବେଦନକାରିଣୀଙ୍କ ନାମରେ ନିର୍ଦ୍ଦିଷ୍ଟ ଭାବେ ଏଫଆଇଆର୍ ରୁଜୁ କରାଯାଇ ନଥିଲେ ମଧ୍ୟ ତାଙ୍କୁ ଥାନାକୁ ଡାକି ମାନସିକ ନିର୍ଯାତନା ଦିଆଯାଉଛି । ଅନ୍ୟପକ୍ଷରେ ଆବେଦନକାରିଣୀଙ୍କ ପାଲଟା ଏତଲାକୁ ରୁଜୁ କରାଯାଇନାହିଁ । ଆବେଦନକାରିଣୀଙ୍କ ବିରୋଧରେ ଏକ ଅଭିଯୋଗ ରହିଛି ଯେ, ସେ ପ୍ରତିପକ୍ଷଙ୍କଠାରୁ ୪୦ ହଜାର ଟଙ୍କା ନେଇଛନ୍ତି । ଯେଉଁ ଟଙ୍କାକୁ ସେ ଫେରାଇବାକୁ ମଧ୍ୟ ପ୍ରସ୍ତୁତ ।
ଅପରପକ୍ଷରେ ଏହି ମାମଲା ଉପରେ ହାଇକୋର୍ଟ ପୂର୍ବ ଶୁଣାଣିରେ ଧାମନଗର ଏସ୍ଡିପିଓଙ୍କୁ ରିପୋର୍ଟ ତଲବ କରିଥିଲେ । ଯେଉଁଥିରେ ଏସ୍ଡିପିଓ ଦର୍ଶାଇଥିଲେ ଯେ, ଯଦିଓ ଆବେଦନକାରିଣୀଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରାଯାଇନି କିନ୍ତୁ ଷ୍ଟେସନ୍ ଡାଏରୀ ଆଧାରରେ ତଦନ୍ତ କରାଯାଉଛି । ଏଥିରେ ଆବେଦନକାରିଣୀଙ୍କ ଆଇନଜୀବୀ ଅଭିଯୋଗ କରିଥିଲେ ଯେ, ଏକ ଯୁଗ୍ମ ସମ୍ପତ୍ତି ଉପରେ ଆବେଦନକାରିଣୀଙ୍କ ଭାଗ ଥିଲାବେଳେ ସେହି ସମ୍ପତ୍ତିକୁ ଜଣେ ପୁଲିସ ଅଧିକାରୀ କିଣିବା ପାଇଁ ଆଗ୍ରହୀ ଅଛନ୍ତି । ଏହି ଆଳରେ ଆବେଦନକାରିଣୀଙ୍କୁ ଥାନାକୁ ଡାକି ମାନସିକ ନିର୍ଯାତନା ଦିଆଯାଉଛି । ପୁଲିସର ଏଭଳି ମାନସିକତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦାଶ ମାମଲା ପରିଚାଳନା କରୁଥିଲେ ।