ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ପୂର୍ବୋଦୟର ବିକାଶ ପାଇଁ ଓଡ଼ିଶାରେ ପ୍ରବାସୀ ଉତ୍ସବ, ବିଶ୍ୱରେ ଦକ୍ଷତା ପ୍ରଦର୍ଶନୀ ପାଇଁ ବଡ଼ ସୁଯୋଗ

Published By : Prameya | January 8, 2025 8:50 AM

ଭୁବନେଶ୍ୱର, ୦୮/୦୧ : ପ୍ରବାସୀ ଚମକିଲେ ହିଁ ଦେଶ ଚମକିବ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ପୂରା କରିବାରେ ପ୍ରବାସୀମାନେ ସାରଥୀ ସାଜିବେ । ପ୍ରବାସୀ ବିଦେଶରେ ରହି ଭାରତକୁ ଯେତିକି ପାଣ୍ଠି ପଠାଉଛନ୍ତି ତାହା ବିଶ୍ୱରେ ସବୁଠୁ ଅଧିକ । ପୂର୍ବୋଦୟର ବିକାଶ ପାଇଁ ଓଡ଼ିଶାରେ ପ୍ରବାସୀ ଉତ୍ସବ ପାଇଁ ନିଷ୍ପତ୍ତି ହୋଇଛି । ଓଡ଼ିଶାର ପର୍ଯ୍ୟଟନ, କଳା, ସଂସ୍କୃତି, ସ୍ଥାପତ୍ୟ, ଐତିହ୍ୟ ଓ ଶିଳ୍ପ ସମ୍ଭାବନାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିବାକୁ ଏହାଠୁ ବଳି ଭଲ ସୁଯୋଗ ଆଉ ନାହିଁ । କେନ୍ଦ୍ର ବୈଦେଶିକ ବ୍ୟାପାର ସଚିବ(ସିପିଭି ଆଣ୍ଡ ଓଆଇଏ) ଅରୁଣ କୁମାର ଚାଟାର୍ଜୀ ଏହା କହିଛନ୍ତି । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚାଟାର୍ଜୀ କହିଛନ୍ତି, ଗେଶ ବିକାଶରେ ପ୍ରବାସୀ ଭାରତୀୟ ସମୁଦାୟର ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହେଉଛି । ଆଗରୁ ପ୍ରତିବର୍ଷ ଏହା ହେଉଥିଲା । ୨୦୧୭ ମସିହା ଠାରୁ ପ୍ରତି ଦୁଇ ବର୍ଷରେ ଏହା ହେଉଛି । ଶେଷ ଥର ଇନ୍ଦୋରରେ ଏହି ସମ୍ମିଳନୀ ହୋଇଥିଲା । ଏଥର ଓଡ଼ିଶାରେ ଏହା କରିବାକୁ ନିଷ୍ପତ୍ତି ହୋଇଛି । 

ନିଜ ଜନ୍ମସ୍ଥାନ ଓ ବାସସ୍ଥାନ ଭିତରେ ସେତୁ ହେଉଛନ୍ତି ପ୍ରବାସୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଏହି ଭିଜନରେ ପ୍ରବାସୀଙ୍କୁ ଭାଗିଦାରୀ କରାଯାଉଛି । ବିକଶିତ ଭାରତ ଗଠନ ଭଳି ଆକାଂକ୍ଷୀ ଲକ୍ଷ୍ୟ ହାସଲରେ ପ୍ରବାସୀଙ୍କ ବଡ଼ ଭୂମିକା ଅଛି । ପ୍ରବାସୀମାନେ ଯେଭଳି ଦେଶର ବିକାଶରେ ସାମିଲ ହେବେ ଓ ଦେଶ ସହ ଯୋଡ଼ି ହୋଇ ରହିବେ ସେଥିପାଇଁ ଏହି ଉତ୍ସବ ଆୟୋଜିତ ହେଉଛି । ସେ ପୁଣି କହିଥିଲେ, ଏହି ଉତ୍ସବରେ ଅନେକ ଅଧିବେଶନ ଆୟୋଜିତ ହେବ । ଓଡ଼ିଶାରେ ଏହା ହେଉଥିବାରୁ ପ୍ରବାସୀମାନେ ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ ଲୋକକଳାକୁ ପାଖରୁ ଜାଣିବାର ସୁଯୋଗ ପାଇବେ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ । ବିଦେଶରେ ଓଡ଼ିଶା ଓ ଭାରତର ସଂସ୍କୃତି ଓ ପର୍ଯ୍ୟଟନର ବ୍ରାଣ୍ଡିଂ କରିବେ । ଜଣେ ଜଣେ ପ୍ରବାସୀ ସେହି ଦେଶର ବ୍ରାଣ୍ଡ ଆମ୍ବାସାଡର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । 

ଏହି ସମ୍ମିଳନୀରେ ଓଡ଼ିଶାକୁ ନେଇ ଏକାଧିକ ଅଧିବେଶନ ହେବ । ପ୍ରଥମ ଦିନ ଅପରାହ୍ନରେ ଓଡ଼ିଶାକୁ ନେଇ ଦୁଇଟି ଅଧିବେଶନ ହେବ । ‘ଅପାର ସମ୍ଭାବନାର ରାଜ୍ୟ: ଓଡ଼ିଶା’ ଅଧିବେଶନରେ ଓଡ଼ିଶାର ପର୍ଯ୍ୟଟନର ବିକାଶ, ବାଣିଜ୍ୟ ସୁଯୋଗ, ବୟନଶିଳ୍ପ, ଚିକିତ୍ସା ସେବା, ଫାର୍ମା, ଖାଦ୍ୟ ପକ୍ରିୟାକରଣ ଓ ଷ୍ଟାର୍ଟଅପ୍‌କୁ ନେଇ ଥିବା ସୁଯୋଗ ଉପରେ ଆଲୋଚନା ହେବ । ସବୁ ପ୍ରବାସୀଙ୍କୁ ୩ଦିନ ଯାଏ ଓଡ଼ିଶା ଖାଦ୍ୟ ପରଷାଯିବ । ମରିସସ୍‌, ମାଲେସିଆ ଓ ଦକ୍ଷିଣ ଆଫ୍ରିକାରୁ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଆସି କାର୍ଯ୍ୟକ୍ରମରେ ସାମିଲ ହେବେ । ସେହିଭଳି ମାଲେସିଆ, ମରିସସ୍‌, ଓମାନ୍‌, କାତାର, ୟୁଏଇ, ବ୍ରିଟେନ୍‌ ଓ ଆମେରିକାରୁ ପ୍ରବାସୀଙ୍କ ବଡ଼ ପ୍ରତିନିଧି ମଣ୍ଡଳୀ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି ।  

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶାରେ ଏହି ବଡ଼ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱ ଦରବାରରେ ନିଜ ଦକ୍ଷତା ଦେଖାଇବାର ଏହା ଏକ ସୁଯୋଗ । ଓଡ଼ିଶାର ପର୍ଯ୍ୟଟନରୁ ନେଇ ଶିଳ୍ପ ଓ ସାମାଜିକ କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ଆମେ ପ୍ରବାସୀଙ୍କୁ ଦେଖାଇବା । ପ୍ରବାସୀଙ୍କୁ ସ୍ୱାଗତ ପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସେମାନେ ଯେଭଳି ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ସବୁ ବ୍ୟବସ୍ଥା କରିଛୁ । ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଭୂମି । ପ୍ରବାସୀଙ୍କୁ ଭୁବନେଶ୍ୱର, ପୁରୀ, କଟକ ଓ ଯାଜପୁରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇବୁ ବୋଲି ସେ କହିଛନ୍ତି । ଏଚଏମପିଭି ଭୂତାଣୁ ନେଇ ଆଶଙ୍କା କରିବାର କୌଣସି କାରଣ ନାହିଁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ କାର୍ଯ୍ୟକ୍ରମ ହେବ । ପ୍ରବାସୀମାନେ ଓଡ଼ିଶାରେ ଯେଭଳି ପୁଞ୍ଜନିବେଶ ପାଇଁ ଆଗ୍ରହୀ ହେବେ ସେଥିପାଇଁ ଏକ ବିଜନେସ୍‌ ସେସନ୍‌ ହେବ ବୋଲି ସେ ସୂଚନା ଦେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣବୀର ଜୟସ୍ୱାଲ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • PravasiBharatiyaDivas2025
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.