ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଶ୍ରୀମନ୍ଦିରରେ ପଖାଳ ଭୋଗର ମହିମା

Published By : Prameya | March 20, 2025 10:32 AM

ପୁରୀ, ୨୦/୩ : ପଖାଳ... ସବୁ ଓଡ଼ିଆଙ୍କ ପ୍ରିୟ। ଗରିବ ପୁଅର ଖାଦ୍ୟ। ପିଲାଠୁ ବୁଢା ଯାଏଁ ସବୁରି ପସନ୍ଦ। ତେବେ ଏହି ପଖାଳ କଣ ? ଥଣ୍ଡା ଭାତରେ ପାଣି ବର୍ତ୍ତି କରି ବାସି ହେବ। ଆଉ ସେଥିରେ ଇଷ୍ଟ ହେଲେ ଆମ୍ଵିଳା ଲାଗୁଥିବ। ଏଇତ ପଖାଳ। ଆଜି ହେଉଛି ପଖାଳ ଦିବସ। ଏଇ ପଖାଳ ଖିଆ ଆମ ବଡ଼ ଠାକୁରଙ୍କୁ ଆରମ୍ଭ। ସିଏ ବି ପଖାଳ ଖାଆନ୍ତି, ଆଉ ଆମେ ବି ପଖାଳ ଖାଉ। ଓଡ଼ିଶାରେ ନିଦ ୨ ଟା ଗୋଟେ ପଣଷ ଖିଆ ନିଦ l  ଆଉ ଗୋଟେ ପଖାଳ ଖିଆ ନିଦ l  ଏ ହେଉଛି ଓଡ଼ିଆ ଜାତିର ଗରିବ ପୁଅର ଖାଦ୍ୟ ପିଲାଠାରୁ  ବୁଢା ପର୍ଯ୍ୟନ୍ତ ସବୁରି ପସନ୍ଦ l 

         ଏହି ଓଡ଼ିଆମାନେ ଯାହା ଖାଅନ୍ତି ପ୍ରଭୁଙ୍କୁ ନୈବେଦ୍ୟ କରିକି ଖାଅନ୍ତି। ଯାହା ପିନ୍ଧନ୍ତି ପ୍ରଭୁଙ୍କୁ ଦେଖିକି ପିନ୍ଧନ୍ତି। ଯୁଆଡେ ଯାଆନ୍ତି ପ୍ରଭୁଙ୍କ ଅନୁକମ୍ପାରେ ଜାଆନ୍ତି। ଦାଣ୍ତକୁ କି ମେଳାକୁ ଗଲେ ଅଳଙ୍କାର ଯୁକ୍ତ ହୋଇଥିଲେ ଚୋରି ହେବ ବୋଲି ଘରେ ଗାଳି ଦେବେ। ସେହିପରି ଜଗନ୍ନାଥ ରଥକୁ ଗଲାବେଳେ ମଧ୍ୟ ହିରା ଚିତା କାଢିକି ଶୋଲ ଚିତା ପିନ୍ଧିକି ଜାଆନ୍ତି। ଆମ ପ୍ରଭୁ ଯାହା କରନ୍ତି ଆମେ ସେୟା କରୁ। ଆମ ପ୍ରଭୁ ଖାଇଲା ବେଳେ ଗୀତ ଗୋବିନ୍ଦ ପାଠ ହେଉଥିବ ସେ ଭୋଜନ କରୁଥିବେ - 

          "  ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁଗଳୁଛି ମକରନ୍ଦ.. "

       ଆମେ ଖାଇଲା ବେଳେ ମଧ୍ୟ ସଙ୍ଗୀତ ଶ୍ରବଣ କରି ଖାଉ। ଶୀତ ହେଲା ଭାରି ଶୀତ ମାର୍ଗଶିର ଶୁକ୍ଳ ଷଷ୍ଟି ଠାରୁ ବସନ୍ତ ପଞ୍ଚମି ପର୍ଯ୍ୟନ୍ତ ୭ ପ୍ରକାର ଚଦର ଘୋଡ଼ି ହେବେ। ସେ ଯାହା କରନ୍ତି ଆମେ ମଧ୍ୟ କରୁ। 

    "ପଖାଳ ଭାତରେ ଘି ତୋ ବୋପା ଖାଇଥିଲା କି ?" 

      ପଖାଳ ଭାତରେ ଘିଅ ଖାଇଲେ ପେଟ ଖରାପ ହେବ। ହେଲେ ଆମ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ପଖାଳ ଖାଇବେ ସେଥିରେ ଦହି ପଡ଼ିଥିବ, କଞ୍ଜା ଘିଅ ପଡିଥିବ। ତାହା ସମର୍ପଣ ହେଲେ ମହାପ୍ରଭୁ ଶୋଇବାକୁ ଯିବେ ବିଚିତ୍ର ଦିଅଁ। 

       ତେଣୁ ଯେଉଁ ଦିଅଁ ପଖାଳକୁ ଏତେ ପ୍ରାଧାନ୍ୟ ଦେଉଛି ତାର ଲୋକମାନେ ପଖାଳ ନଖାଇବେ ବା କେମିତି। କାହିଁକି ନା ପଖାଳ ଖାଇବା ମଜା ଓଡ଼ିଶାରେ ଜଗନ୍ନାଥ ଆଉ ତାଙ୍କ ଲୋକ ଜାଣନ୍ତି। ଦୁନିଆରେ ସବୁଠି ଚାଉଳରୁ ଭାତ ହୁଏ। ବଡ଼ ଦେଉଳରେ ଭାତରୁ ଚାଉଳ ହୁଏ। ଓଲଟା କଥା ନିର୍ମାଲ୍ୟ। ଆମ ଘରର ଭାତ କାଲିକି ରହିଲେ ବାସି ଖରାପ ହେଇଯିବ ପୋକ ଭାସିବେ। ହେଲେ ବଡ଼ ଦେଉଳର ଭାତ କାଲିକି ରହିଗଲେ ନିର୍ମାଲ୍ୟ ହେଇଯିବ। ତାର ରେଟ୍ ବଢିବ। ଅଭଡ଼ା ଖାଇଲେ ପେଟ ପୁରିଜାଏ ହେଲେ ସେ ପଖାଳ ଖାଇଲେ ସବୁ ରୋଗ ବ୍ୟାଧି ଦୁରିଭୁତ ହେଇଯାଏ। 

ll ସବୁରୋଗ ବ୍ୟାଧିକୁ ଦୂରକରେ ମହାପ୍ରଭୁଙ୍କ ବାସି ପଖାଳ ll :- 

        ଆନନ୍ଦ ବଜାର ଭିତରେ ଗୋଟେ ଡଙ୍ଗା ଅଛି ତା ଭିତରେ ଅଭଡ଼ା ତୋରାଣି ରହିଥାଏ। ସେ ତୋରାଣିକୁ ଯିଏ ପିଇଲା ବା ଘରକୁ ଆଣିକି ପିଇଲା ତାର ଦୁଃଶାଧ୍ୟ ରୋଗ ମଧ୍ୟ ଭଲ ହେଇଯାଏ। ପିଲାମାନେ ରାତିରେ ଶୋଇଥିବା ବେଳେ ଏକ କରିଦିଅନ୍ତି ବା ବୋହୁମୁତ୍ର ରୋଗୀମାନେ ସେ ପଖାଳ ସେବନ କଲେ ତାଙ୍କର ରୋଗ କ୍ରମଶଃ ଭଲ ହେଇଯିବ। ଭାରି ଶ୍ଵାସ ବେମାରି ଅଛି ଓୌଷଧ ଖାଇଲେ ବି କମୁନି ସେ ପଖାଳ ତୋରାଣିକୁ ପିଇଦେଲେ କମିଯିବ ସବୁ। ଜଗନ୍ନାଥଙ୍କ ବାସି ଅଭଡ଼ା ପଖାଳ ଫଙ୍ଗସ୍ ଭାସୁଥିବ, ନାଙ୍ଗୁଡା ଭାସୁଥିବେ, ଦୁର୍ଗନ୍ଧ ହେଉଥିବ ଆଖିକୁ ଦେଖିବାକୁ ଭାରି ଖରାପ। ତାକୁ ବୋତଲରେ ଆଣିବେ ଗୋଟେ ପାତ୍ରରେ ନିୟମିତ ପରିମାଣରେ ରଖି ତାକୁ ନିୟମିତ ସେବନ କରିବେ ଗୋଟେ ମନ୍ତ୍ର ପାଠ କରିବେ - 

         " ନସ୍ୟାନ୍ତି ଶକଳ ରୋଗା " 

        ମନ୍ତ୍ର ପାଠ କରିକି ପ୍ରଭୁଙ୍କୁ ସମର୍ପଣ କରିକି ପ୍ରସାଦ ପାଇବେ। ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ ଆଜ୍ଞା ରୋଗ ଭଲ ହେଇଯିବ। 

       ଭାରି ଜର ହେଉଛି। ଜମା କମୁନି ସେ ତୋରାଣିକୁ ଟିକେ ସେବନ କରିଦେଲେ ଜର କୁଆଡେ ଉଭାନ ହେଇଯିବ। 

ll ଚୌତନ୍ୟ ମହାପ୍ରଭୁଙ୍କ ଶ୍ଵାସ ଭଲ କରିଥିଲା ଏହି ପଖାଳ ll :- 

      ଦିନେ ଚୌତନ୍ୟ ମହାପ୍ରଭୁଙ୍କୁ ହେଲା ଶ୍ଵାସ ବେମାରୀ। ସେ ଭାରି ଅମାନିଆ ବାବାଜୀ। ଯିବେ ଜଗନ୍ନଥଙ୍କୁ ଦର୍ଶନ କରିବେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦେଖି ଗଦଗଦ ହେଇଯିବେ। 

      ପ୍ରତିଦିନ ବଡ଼ ହେଉଳ ପଛପଟକୁ ଯାଆନ୍ତି ଚୌତନ୍ୟ ମହାପ୍ରଭୁ। କାହିଁକି ନା ତାଙ୍କ ବିଶ୍ୱାସ ପୁରୀରେ ଯେତେଲୋକ ରୁହନ୍ତି ସେମାନେ ବୈକୁଣ୍ଠରେ ଅଛନ୍ତି। ତେଣୁ ସବୁ ହେଲେ ବିଷ୍ଣୁ। ମୁଁ  ହେଲି ହୀନ ଜନ। ଯଦି ମୋ ଛାଇ ପଡିବ ତାହାଲେ ସେ ଅପବିତ୍ର ହେବେ। ତେଣୁ ବଡ଼ ଦେଉଳ ପଛପଟେ ଲୁଚିକି ଯାଆନ୍ତି। ସେ ଯେଉଁ ବାଟ ଦେଇ ଯାଆନ୍ତି ତା ନା ହେଲା ଗୌରାଙ୍ଗ ସାହି। ତାପରେ ହେଲା ଗୌଡବାଡ ସାହି ଏବେ ହରଚଣ୍ଡି ସାହି। ସମୁଦ୍ରକୁ ଦେଖିବେ ୨ ଟି ରଙ୍ଗ ଗୋଟେ ନୀଳ ଆଉ ଗୋଟେ ଧଳା। ନୀଳ ହେଲେ କୃଷ୍ଣ ଆଉ ଧଳା ହେଲେ ରାଧା। ତେଣୁ ଚୈତନ୍ୟ ରାଧା କୃଷ୍ଣଙ୍କୁ ଦେଖି ଗଦ ଗଦ ହେଇଯିବେ ଆଉ ସବୁଦିନ ସମୁଦ୍ର ଜଳରେ ବୁଡି ଯିବେ। କେଉଟମାନେ ବେଳେ ବେଳେ ଜାଲ ପକାଇ ତାଙ୍କୁ ଉଧାର ମଧ୍ୟ କରନ୍ତି। ସେ ସମୁଦ୍ରରେ ଭାବରେ ବୁଡି ଯାଆନ୍ତି। ସବୁଦିନ ଲୁଣି ପାଣିରେ ଗାଧେଇକି ତାଙ୍କୁ ଶ୍ଵାସ ବେମାରି ହେଲା।

          ପ୍ରାତାପ ରୁଦ୍ର ଦେବଙ୍କ ପାଖରେ ଖବର ପହଞ୍ଚିଲା। ପଞ୍ଚସଖାଙ୍କ ସହ ଆଲୋଚନା ହେଲା ଚୌତନ୍ୟ ମହାପ୍ରଭୁଙ୍କ ଶ୍ଵାସ ବେମାରି କେମିତି କମିବ ? ଏ ହରିଡାରେ କୋଉ ଯିବ ଶ୍ଵାସ ବେମାରି ? କଣ କରିବା ? ଏତିକି ବେଳେ ଓଡ଼ିଆ ମାଟିର ବରପୁତ୍ର ଅତିବଡ଼ି ଜଗନ୍ନାଥ ଦାସ ଭାଗବତ ରଚୟିତା କହିଲେ ଚୌତନ୍ୟ ମହାପ୍ରଭୁଙ୍କ ଶ୍ଵାସ ବେମାରି ମୁଁ ଭଲ କରିଦେବି। ଜଗନ୍ନାଥ ଦାସ ତାଙ୍କୁ ନେଇକି ଚାଲିଲେ ବଡ଼ ଓଡ଼ିଆ ମଠକୁ। ସେ ଯେତିକି ଡେ଼ଙ୍ଗା ଇଏ ସେତିକି ଗେଡା ଚାଲିଲେ। ବଡ ଓଡ଼ିଆ ମଠ ବିଚିତ୍ର ବିଶାଳ ମଠ। ଅଚଳା ଚଳ ଜେଗା। ସେ ଜମିକୁ ଚାଷ କରିବାକୁ ହାତୀ ଭଳିଆ ବଳଦ ସବୁ ଅଛନ୍ତି। ସେମାନେ ପାଣି ପିଇବା ପାଇଁ ବଡ଼ ବଡ଼ କୁଣ୍ଡ ତିଆରି ହୋଇଛି। ସେ କୁଣ୍ଡରେ ପାଣି ଭର୍ତି ହେଇକିଥାଏ। 

 ଚୌତନ୍ୟ ମହାପ୍ରଭୁଙ୍କୁ ଗୋଟେ କୁଣ୍ଡ ପାଖରେ ଠିଆକଲେ। ବିଶାଳ କୁଣ୍ଡ ତା ଭିତରେ ଅଛି ଅଭଡ଼ା ପଖାଳ ପ୍ରସାଦ। ବଡ଼ ବଡ଼ ଲାଙ୍ଗୁଡା ପୋକ ଭାସୁଛନ୍ତି। ବାସ୍ନା ହେଉଛି ଫଙ୍ଗସ୍ ଅଛି.. ପାଣି ସାରା ଫିମ୍ପି ମାରିଯାଇଛି। ଚୌତନ୍ୟ ଦେଖି ନାକ ଟେକିଲେ, କହିଲେ ଏଇଟା କଣ ? ଉତ୍ତର ଆସିଲା ପ୍ରସାଦ। କି ପ୍ରସାଦ ? ନା ପ୍ରଭୁର ପ୍ରସାଦ। ଏଟା କି ପ୍ରଭୁର ପ୍ରସାଦ ହେଇପାରେ ! ହଁ ଆମ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସାଦ। ଇଏ ହେଲା ପଖାଳ ପ୍ରସାଦ। ଯେମିତି କହିଛନ୍ତି ସାଙ୍ଗେ ସାଙ୍ଗେ ଆମର ଜଗନ୍ନାଥଙ୍କ ପ୍ରସାଦ କହି ଗୋରୁ ମୁହଁ ଲଗାଇ ପିଇଲାପରି ଚୌତନ୍ୟ ମହାପ୍ରଭୁ ପିଇଦେଲେ। ପୋକ ଦେଖିଲେନି କି ଗନ୍ଧ ପାଇଁ ନାକ ଟେକିଲେନି। ସେଦିନ ସେହି ମୁହୁର୍ତ୍ତରେ ତାଙ୍କର ଶ୍ଵାସ ରୋଗ ଭଲ ହେଇଗଲା।

     ପୁରୀରେ ଗୋଟେ ନିୟମ ଅଛି। ଅଧିକାଂଶ ଲୋକମାନେ ସେବକମାନେ ମହନ୍ତମାନେ ମଠର ଆଚାର୍ଯ୍ୟମାନେ ବଡ଼ ଦେଉଳକୁ ଅପେକ୍ଷା କରନ୍ତି। ଅପରହ୍ନର ବିଳମ୍ବିତ ପ୍ରହରରେ ଜଗନ୍ନାଥଙ୍କୁ ମହାପ୍ରସାଦ ଭୋଗ ଲାଗିଲା ପରେ। ପ୍ରତ୍ୟକ ଦିନ ମହାପ୍ରସାଦ ମଠ ଆଉ ସେବକଙ୍କ ଗ୍ରୁହକୁ ଯାଏ।  ଦିନ ବେଳା ଯାହା ଖାଉଛ ଖାଅ ରାତିବେଳା ପୁରୀରେ ମହାପ୍ରସାଦ ଖାଇବା ପୁରୀ ଲୋକଙ୍କର ଏକ ପାରମ୍ପାରିକ ଅଭ୍ୟାସ। ଯାହା ଅଭଡା ଖାଅନ୍ତି ଖାଆନ୍ତି ଆଉ ଯାହା ବଳିପଡିଲା ତାକୁ କୁଣ୍ଡରେ ପକାଇ ଦିଅନ୍ତି। ଅର୍ଥାତ ଗୋରୁ ଗାଈ ମାନେ ଖାଇବେ। କାଲିକି ପୁଣି ଅଭଡା ଆସିବ ନା। ତେଣୁ ଗୋରୁଗାଈମାନେ ଖାଆନ୍ତି। ପୁରୀରେ ଥିବା ଗୋରୁଗାଇଙ୍କ ଭାଗ୍ୟ କେତେ ସବୁଦିନ ଜଗନ୍ନାଥଙ୍କ ମହାପ୍ରସାଦ ପଖାଳ ରୂପରେ ଖାଇ ହାତୀ ଭଳିଆ ବଳ ପାଇଥାନ୍ତି। ଆଉ ତାଙ୍କୁ ବଳଦିଏ ଜଗନ୍ନାଥଙ୍କ ପଖାଳ। 

              ଆମ ଓଡ଼ିଆ ଜାତିରେ ପଖାଳ ଖାଇବା ପରମ୍ପରା ଆମ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ସବୁଦିନ ସେ ପଖାଳ ଖାଇକି ନିଦ୍ରା ଯାଆନ୍ତି। ପଖାଳର ସୃଷ୍ଟି ଯେ ଶ୍ରୀମନ୍ଦିରରୁ ହେଇଛି ତାର ପ୍ରମାଣ ଦିଅନ୍ତି ଆମ ମହାପ୍ରଭୁ। ୫୬ ଭୋଗଠୁ ବି ଦୁର୍ଲଭ ଭୋଗ ମହାପ୍ରଭୁଙ୍କ ପଖାଳ ଭୋଗ। କୋଟି ଓଡିଆଙ୍କ ମଉଡମଣିଙ୍କ ଅତି ପ୍ରିୟ ଖାଦ୍ୟ।

ll ମହାପ୍ରଭୁଙ୍କ ପାଖେ ଲାଗିହୁଏ ପଖାଳ ଭୋଗ ll :- 

            ଶ୍ରୀ ଜଗନ୍ନାଥଙ୍କୁ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ କେତେବେଳେ ଘିଅ ଭାସେ। ତେବେ ଏହି ପଖାଳର ନାଁ ସବୁ ହେଲା- 

ll ସୁବାସ ପଖାଳ ll :- ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇସାରିବା ପରେ ସେଥିରେ ପାଣି  ମିଶିଥାଏ। ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷାଯାଏ। ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ।

ll ଚୁପୁଡା ପଖାଳ ll :- ରନ୍ଧା ହୋଇଥିବା ଅନ୍ନକୁ ଭଲଭାବେ ଚିପୁଡି ଦିଆଯାଏ। ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟିପାତ୍ରରେ ମହାପ୍ରଭୁଙ୍କୁ ପରଷି ଦିଆଯାଏ।

ll ପାଣି ପଖାଳ ll :-ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ। ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶ୍ରଣ କରାଯାଏ ନାହିଁ। ସାଧାରଣତଃ ଏହା ପ୍ରତ୍ୟକ ଓଡ଼ିଆ ଘରର ସାଧାରଣ ଖାଦ୍ୟ।

ll ଦହି ପଖାଳ ll :- ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ। ଏଥିରେ ଦହିର ମାତ୍ରା ଅଧିକ ଥାଏ। ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପାକାଇ ପ୍ରସ୍ତୁତ କରାଯାଏ।

ll ମିଠା ପଖାଳ ll :- ସାଧା ଅନ୍ନରେ ଧଳା ଗୁଡ ପାକାଇ ରନ୍ଧାଯାଏ। ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ।

ll ମଲ୍ଲିଫୁଲ ପଖାଳ ll :-  ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ । ମାତ୍ର ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ।

ll ଟଭା ପଖାଳ ll :- ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ। ଉପରୋକ୍ତ ପ୍ରଣାଳୀରେ ଏହି ପଖାଳ ପ୍ରସ୍ତୁତ ହୁଏ। ଏହା ମଧ୍ୟ ସୁବାସ ପଖାଳ ପର୍ଯ୍ୟାୟଭୁକ୍ତ।

ll ଘିଅ ପଖାଳ ll :- ସାଧାଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ।  ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ।

          ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.