ମାଲକାନଗିରି, ୧୮/୧୨ (ଆପ୍ର ) : ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହେବାର ପ୍ରଥମ ଦିନରେ ହିଁ ଆରମ୍ଭ ହୋଇଛି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ। ମଣ୍ଡି ପରିଚାଳନା ଦାୟିତ୍ୱ ପାଇନଥିବା ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମଣ୍ଡିରେ ତାଲା ପକାଇ ଗେଟ ଆଗରେ ଧାରଣାରେ ବସିଥିଲେ। ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ବାଟପଲ୍ଲୀ ଗ୍ରାମରେ ଥିବା ଧାନମଣ୍ଡିରେ ଏଭଳି ଘଟଣା ଘଟିଛି।
ଇନ୍ଦ୍ରାବତୀ ଗ୍ରୁପ୍ର ମହିଳାମାନେ କିଛି ବର୍ଷ ହେଲା ବାଟପାଲି ଧାନ ମଣ୍ଡି ପରିଚାଳନା ପାଇଁ ଆବେଦନ କରିଥିଲେ । ହେଲେ ଇନ୍ଦ୍ରାବତୀ ଗ୍ରୁପକୁ ଏହି ଧାନ ମଣ୍ଡି ଦିଆ ନ ଯାଇ ଉକ୍ତ ଧାନ ମଣ୍ଡିକୁ ପୂର୍ବରୁ ଚଲାଉଥିବା ମହିଳା ମାନେ ପରିଚାଳନା କରୁଛନ୍ତି । ତେଣୁ ଧାନ ମଣ୍ଡି ପରିଚାଳନାକୁ ନେଇ ଦୁଇ ଏସଏଚଜି ଗୋଷ୍ଠୀ ମଧ୍ୟରେ ଗତ କିଛି ବର୍ଷ ଧରି ଲାଗିଛି ବିବାଦ। ଏସଏଚଜି ମହିଳା ମାନେ ମଣ୍ଡି ଗେଟ ରେ ତାଲା ପକାଇ ଧାରଣା ଦେଇଥିବାରୁ ଏହି ବିବାଦରେ ଚାଷୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଦୀର୍ଘ ୫ଘଣ୍ଟା ତାଲା ପଡି ରହିଥିବାରୁ ଚାଷୀଙ୍କ ଧାନ ଗାଡି ମଣ୍ଡି ଗେଟ ବାହାରେ ଅଟକି ରହିଥିଲା।
ଏହାର ଅନୁସନ୍ଧାନ କରି ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଦାୟିତ୍ବ ପ୍ରଦାନ କରାଯାଉ ନଚେତ୍ ଧାନମଣ୍ଡି ଦାୟିତ୍ବ ଲ୍ୟାମ୍ପକୁ ପ୍ରଦାନ କରାଯାଉ ବୋଲି ଇନ୍ଦ୍ରାବତୀ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାମାନେ ଦାବି କରିଛନ୍ତି। ମଣ୍ଡି ଗେଟରେ ତାଲା ପଡିବା ଖବର ପାଇ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ତହସିଲଦାର ଟିକୁନ ପୁଟ୍ଟା,ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋ ଙ୍କ ନେତୃତ୍ୱ ରେ ପୁଲିସ ସଦଳ ବଳ ବାଟପଲ୍ଲୀ ଧାନ ମଣ୍ଡି ରେ ପହଁଚି ମହିଳା ମାନଙ୍କୁ ତାଲା ଖୋଲିବା କୁ ବୁଝାଇ ଥିଲେ । ମଣ୍ଡି ପରିଚାଳନା ଦାଇତ୍ୱ ସେମାନଙ୍କ ଗ୍ରୁପ କିମ୍ବା ଲ୍ୟମ୍ପସ ଦିଆ ନ ଗଲା ପର୍ଯ୍ୟନ୍ତ ସେମାନେ ମଣ୍ଡି ରୁ ତାଲା ଖୋଲିବେ ନାହିଁ ବୋଲି ଆଡିବସିଥିଲେ, ଶେଷ ରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ପୁଲିସ ମଣ୍ଡି ଗେଟ ରୁ ତାଲା ଭାଙ୍ଗି ଗେଟ ଖୋଲିବାରୁ ଚାଷୀ ମାନେ ମଣ୍ଡି ଭିତରକୁ ଧାନ ଗାଡି ନେଇଥିଲେ।