ମାଲକାନଗିରି, ୨୫/୧୨ : ମାଲକାନଗିରି ଜିଲ୍ଲା ପ୍ରସାଶନ ପକ୍ଷରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ, ସୁଶାସନ ଦିବସ ଓ କବି ସମ୍ମିଳନୀ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ଵାବଧାନରେ ସଂସ୍କୃତି ଭବନଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ଆଇପିଓ ଶୁଭଶ୍ରୀ ଦଣ୍ଡପାଟ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଭଳି ଜନନାୟକ ଦେଶରେ ବିରଳ ବୋଲି ଅଭିହିତ କରିଥିଲେ। ବାଜପେୟୀଙ୍କ ଶାସନ କାଳରେ ଦେଶରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ଗଣତନ୍ତ୍ରକୁ ଏକ ନୂତନ ରୂପ ପ୍ରଦାନ ସହ ପ୍ରକୃତ ସୁଶାସନର ଅୟମାରମ୍ଭ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ।
ମୁଖ୍ୟବକ୍ତା ଭାବେ ଡଃ ଶ୍ୟାମା ପ୍ରସାଦ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷା ପ୍ରବାସିନୀ ମହାପାତ୍ର ଯୋଗଦେଇ ବାଜପେୟୀଙ୍କ ଭଳି ରାଷ୍ଟ୍ରନୀତିଜ୍ଞ ଏବଂ ଉଚ୍ଚକୋଟିର ମାନବବାଦ ଚିନ୍ତାଧାରା ଆମ ସମସ୍ତଙ୍କୁ ସବୁବେଳେ ଉଦ୍ବୁଦ୍ଧ କରୁଥିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଷ୍ଟ୍ରୀୟ ଚେତନାରେ ଉଦ୍ବୁଦ୍ଧ ଶ୍ରେଷ୍ଠ ରାଷ୍ଟ୍ରପୁରୁଷ ଭାବେ ଅଭିହିତ କରି ତାଙ୍କ ଆଦର୍ଶରେ ଭାରତୀୟ ଗଣତନ୍ତ୍ର ଅନୁପ୍ରାଣିତ ହେବା ଉଚିତ୍ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ ।
ଏହି ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ସେହିପରି ଅଟଳ ବିହାରି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ଜୀବନୀ ଉପରେ କବିତା ପାଠତ୍ସବ ଆୟୋଜନ କରାଯାଇଥିଲା । ଜିଲ୍ଲାର ଅନେକ କବି ଏହି କବିତା ପାଠତ୍ସବରେ ଭାଗ ନେଇଥିଲେ। ଏହି ଅବସରରେ କବିତା ପାଠତ୍ସବରେ ଭାଗ ନେଇଥିବା କବି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଡଃ ରଞ୍ଜନ ସ୍ୱାଇଁ, ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ କୁମାର ମହାନ୍ତି ଓ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଓ ମିଶନ ଶକ୍ତିର ମାଆମାନେ ଉପସ୍ଥିତ ଥିଲେ।